ସେଲ୍‌ଫି ଅନ୍ତରାଳେ..

ଆଜିକାଲି ସେଲ୍‌ଫି ନେବା ଏକ ମାନିଆ ପାଲଟି ଗଲାଣି। ଫଟୋରେ କମେଡିଆନ୍‌ ହରିହର ମହାପାତ୍ର ଓରଫ ହରି ଭାଇ ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶିନୀଙ୍କ ସହ ଏକ ସେଲ୍‌ଫି ନେଉଛନ୍ତି। ପୁଣି କେଉଁ ପୋଜ୍‌ରେ ଥରେ ଦେଖନ୍ତୁ ନା ! ଫଟୋ ଫଛରେ ସତ୍ୟତା ତ ନିଶ୍ଚୟ ରହିଛି, ହେଲେ ଏହା ହରି ଭାଇଙ୍କ ବାସ୍ତବ ଜୀବନ ନୁହେଁ, ଅଭିନୟ ଜୀବନରେ ହିଁ ଘଟିଛି। ରିଲିଜ ଅପେକ୍ଷାରେ ଥିବା ଓଡିଆ ସିନେମା ‘ଜୋର୍‌ କା ଝଟକା’ରେ ସେ ଏକ ଦମ୍‌ଦାର ଭୂମିକାରେ ଅଭିନୟ କରୁଛନ୍ତି। ସେହି କୌତୂହଳ ନାମଟି ହେଲା-‘ଏବିସି’ ଯାହାର ଫୁଲଫର୍ମ ହେଉଛି ‘ଅନୁଭବ ବାବୁସାନ୍‌ଙ୍କ କକ୍‌ଟେଲ’। ଏବିସି ଏକ ୟୁନିଭର୍ସିଟିରେ ପାଠ ପଢ଼ୁଛି। ଜଣେ ଝିଅକୁ ସେ ମନେ ମନେ ଭଲ ପାଇ ବସିଛି। ହେଲେ ସେ ଝିଅ ତାକୁ ଭଲ ପାଏ କି ଆଉ କାହାର ପ୍ରେମିକା ସେକଥା ସେ ଜାଣେନା। ବାସ୍‌ ଏବିସି ନିଜ ଭାବନା ରାଇଜରେ ବୁଡି ସେ ଝିଅକୁ ନେଇ ଅନେକ ସ୍ବପ୍ନ ଦେଖୁଛି। ହେଲେ ଏହି ପ୍ରେମ ନିଶାରେ ଏକ ଜୋର୍‌ କା ଝଟକା ଲାଗୁଛି। ତାହା କ’ଣ ଏବଂ ପରବର୍ତ୍ତୀ ସମୟରେ ଏବିସି ନିଜ ପ୍ରେମକୁ କିପରି ଶେଷ ରୂପ ଦେଉଛି ତାହା ଫିଲ୍ମଟି ଦେଖିଲେ ହିଁ ଜାଣିପାରିବେ। ନିଜ ପ୍ରେମ ପାଇଁ ସେ କେତେବେଳେ ଖଳନାୟକ ପାଲଟି ଯାଉଛି ତ କେତେବେଳେ ନିଜର ଭୁଲ ପାଇଁ ଅନୁତାପ କରୁଛି। ସେପଟେ ଏପରି ଏକ ମନଲାଖି କମେଡି ଭୂମିକା ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ଆଶା ରଖିଛନ୍ତି ହରି। ଅଶୋକ ବେହେରା-ଶିବାନୀ ବେହେରାଙ୍କ ପ୍ରଯୋଜିତ ଏହି ସିନେମାର ନାୟକ ଭୂମିକାରେ ଅଭିନୟ କରିଛନ୍ତି ଦୀପକ। ହାସ୍ୟାଭିନେତା ପ୍ରଜ୍ଞା ଏବଂ ଚରିତ୍ର ଅଭିନେତା ମିହିର ଦାସ ଚରିତ୍ର ଏହାର ଅନ୍ୟତମ ଆକର୍ଷଣ ବୋଲି କହନ୍ତି ଏହାର ନିର୍ଦ୍ଦେଶକ ପିନୁ ନାୟକ। ଫିଲ୍ମରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର।

Share