Categories: ରାଜ୍ୟ

ସେସୁର ମୋବାଇଲ ଆପ୍‌ ‘ସେସୁ କନେକ୍ଟ’ ଉନ୍ମୋଚିତ: ଘରେ ବସି ଡିଜିଟାଲ ମୋଡରେ ବିଲ ପଇଠ କରି ପାରିବେ ଉପଭୋକ୍ତା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କାରେ କେନ୍ଦ୍ର ସରକାର ୩ ପର୍ଯ୍ୟାୟରେ ଲକ୍‌ଡାଉନ ଅବଧି ମେ ୧୭ ତାରିଖ ଯାଏ ବୃଦ୍ଧି କରିଛନ୍ତିି। ମାର୍ଚ୍ଚରୁ ମିଟର ରିଡିଂ କିମ୍ବା ବିଦ୍ୟୁତ୍‌ ବିଲ୍‌ ଉପଭୋକ୍ତାଙ୍କୁ ଦିଆଯାଉ ନାହିଁ। ଫଳରେ ଉପଭୋକ୍ତାମାନେ ସେମାନଙ୍କର ବିଲ୍‌ ପ୍ରଦାନ କରିପାରୁ ନାହାନ୍ତି। ଯାନବାହନ ଚଳାଚଳ ହେଉ ନ ଥିବାରୁ ବିଲ ପଇଠ କରିବା ନେଇ ସମସ୍ୟା ଦେଖାଦେଇଛି। ଏହାକୁ ଦୂର କରିବାକୁ ସେସୁ ପକ୍ଷରୁ ଶୁକ୍ରବାର ମୋବାଇଲ ଆପ୍‌ ‘ସେସୁ କନେକ୍ଟ’ ଆରମ୍ଭ କରାଯାଇଛି। ଏହାକୁ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉନ୍ମୋଚନ କରିଛନ୍ତିି। ଏହି ଆପ୍‌ ଜରିଆରେ ବିଦ୍ୟୁତ୍‌ ଉପଭୋକ୍ତାମାନେ ଘରେ ବସି ଡିଜିଟାଲ ମୋଡରେ ଡେବିଟକାର୍ଡ, କ୍ରେଡିଟ କାର୍ଡ, ନେଟ୍‌ ବ୍ୟାକିଂ, ଭାରତ ବିଲ ପେମେଣ୍ଟ ସିଷ୍ଟମ(ବିବିପିଏସ୍‌) ମାଧ୍ୟମରେ ନିଜର ବିଲ ପଇଠ କରି ପାରିବେ। ଏହାଛଡା ଚଳିତ ମାସର ବିଲ, ଗତ ୬ ମାସରେ କେତେ ବିଦ୍ୟୁତ୍‌ ଖର୍ଚ୍ଚ କରିଛନ୍ତି ଓ କେତେ ବିଲ ଦେଇଛନ୍ତି ସେ ବିଷୟରେ ମଧ୍ୟ ଜାଣି ହେବ। ବିଦ୍ୟୁତ୍‌ ଚୋରି ସମ୍ପର୍କରେ ସୂଚନା ଦେଲେ ଜରିମାନାର ୧୦ ପ୍ରତିଶତ ପୁରସ୍କାର ରାଶି ବିଷୟରେ ମଧ୍ୟ ଏହି ଆପ୍‌ ମାଧ୍ୟମରେ ପାଇପାରିବେ। ସେସୁ ପକ୍ଷରୁ ୨୪ ଘଣ୍ଟିଆ ସେବା ଦିଆଯାଉଥିଲେ ମଧ୍ୟ ମିଟର ରିଡିଂ, ସଂଯୋଗ ଓ ବିଚ୍ଛିନ୍ନ କାର୍ଯ୍ୟ କରାଯାଇ ପାରୁନାହିଁ। ଫଳରେ ଲକ୍‌ଡାଉନ୍‌ ସମୟରେ ସେସୁକୁ କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରିବାକୁ ପଡୁଛି। ଏଭଳି ପରିସ୍ଥିତିିରେ ଉପଭୋକ୍ତାମାନେ ସାମାଜିକ ଦୂରତ୍ୱ ରକ୍ଷାକରି ବିଲ ପଇଠ କରିବାକୁ ସେସୁ ଅନୁରୋଧ କରିଛି। ଆପ୍‌ ଉନ୍ମୋଚନ ବେଳେ ଶକ୍ତି ସଚିବ ବିଷ୍ଣୁ ପଦ ସେଠୀ ଏବଂ ସେସୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅରୁଣ ବୋଥ୍ରା ଉପସ୍ଥିିତ ଥିଲେ।

Share