ସୈନ୍ୟବାହିନୀ ନିଯୁକ୍ତି ରାଲିରେ ୭ ନକଲି ପରୀକ୍ଷାର୍ଥୀ, ଥାନାରେ ଅଟକ

ପାରାଦୀପ,୧୯।୮(ସ୍ବ.ପ୍ର.) : ପାରାଦୀପ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମଠାରେ ଗତ ୧୮ ତାରିଖରୁ ଚାଲିଥିବା ସୈନ୍ୟବାହିନୀ ନିଯୁକ୍ତି ରାଲିରେ ସୋମବାର ୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଆର୍ମି ଠାବ କରିଛି। ପରେ ସେମାନଙ୍କୁ ସ୍ଥାନୀୟ ପାରାଦୀପ ମଡେଲ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ ଉକ୍ତ ୭ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ କାଗଜପତ୍ର ଯାଞ୍ଚ କରିଛି। ସୈନ୍ୟବାହିନୀ ନିଯୁକ୍ତି ରାଲିରେ ସହଯୋଗ କରୁଥିବା ଜିଲା ପ୍ରଶାସନର ନିୟୋଜନ ଅଧିକାରୀ ତାପସ କୁମାର ସ୍ବାଇଁଙ୍କଠାରୁ ସୂଚନା ମିଳିଛି। ଉତ୍ତରପ୍ରଦେଶର ଏହି ୭ ଜଣ ଯୁବକ ନକଲି ସାର୍ଟିଫିକେଟ ଦେଇ ରାଲିରେ ଭାଗ ନେଇଥିଲେ। ସେମାନଙ୍କ କାଗଜପତ୍ର ଓ ସାର୍ଟିଫିକେଟ ଯାଞ୍ଚ ହେବାରୁ ନକଲି ଥିବା ସ୍ପଷ୍ଟ ହୋଇଥିଲା। ପରେ ସେମାନଙ୍କୁ ସେନାର ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିବାରୁ ସତ କଥା ସ୍ବୀକାର କରିଥିଲେ। ସେମାନେ ହେଲେ ଉତ୍ତରପ୍ରଦେଶର ଅମର ସିଂ(୧୯), ସଜ୍ଜନ କୁମାର (୧୯), ଅଖିଳେଶ କୁମାର ତିଓ୍ବାରୀ(୨୨), ରାହୁଲ କୁମାର ଯାଦବ(୨୦) ଶିବ କୁମାର ଯାଦବ (୨୧) ଗୁଡୁ ସିଂ(୨୦) ଆଜାଦ କୁମାର ତିଓ୍ବାରୀ (୧୯)। ଏମାନେ ସମେସ୍ତ ଓଡ଼ିଶାର ବିଦ୍ୟାର୍ଥୀ ବୋଲି ସାର୍ଟିଫିକେଟ ଦର୍ଶାଇ ଏହି ରାଲିରେ ଭାଗ ନେଇଥିଲେ।
ସୂଚନାଯୋଗ୍ୟ, ଉକ୍ତ ସୈନ୍ୟବାହିନୀ ନିଯୁକ୍ତି ରାଲିରେ କେବଳ ଉପକୂଳ ଓଡ଼ିଶାର ୧୦ ଜିଲାର ବେକାରୀ ଭାଗ ନେବାର ସୁଯୋଗ ରହିଛି। ଉକ୍ତ ୭ ଜଣଙ୍କୁ ପାରାଦୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରାଯିବା ପରେ ପୋଲିସ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ କରୁଛି। ଉକ୍ତ ଯୁବକମାନେ ଜଣେ ଦଲାଲଙ୍କ ପ୍ରରୋଚନାରେ ଏପରି କରିଥିବା ଆଲୋଚନା ହେଉଛି।