ରିୟାଦ୍,୨୭।୪: ସୌଦିରେ ଏଣିକି ନାବାଳକ ଅପରାଧୀଙ୍କୁ ଆଉ ମୃତ୍ୟୁ ଦଣ୍ଡାଦେଶ ହେବ ନାହିଁ। ଏନେଇ ସୌଦିର ରାଜା ଶାହ ସଲମାନ୍ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପ୍ରଚଳିତ ଥିବା ଏହି ଆଇନକୁ ରଦ୍ଦ କରିବାକୁ ସେ ଦେଶର ନ୍ୟାୟପାଳିକଙ୍କୁ ସୂଚିତ କରିଛନ୍ତି। ରାଜା ସଲମାନ୍ ଏବଂ ଯୁବରାଜ ମହମ୍ମଦ୍ ବିନ୍ ସଲମାନ୍ ଦେଶର ଆଧୁନିକୀକରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହା ଅନ୍ତର୍ଗତ ପ୍ରଚଳିତ ବିଭିନ୍ନ ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ଉଦ୍ୟମ କରାଯାଉଛି। ଏହା ପୂର୍ବରୁ ଦୁଇଦିନ ତଳେ ଦେଶରେ ପୂର୍ବରୁ ପ୍ରଚଳିତ କୋରଡ଼ା ମାଡ଼ ଦଣ୍ଡକୁ ବନ୍ଦ କରିବା ପାଇଁ ସୌଦି ସୁପ୍ରିମ୍ କୋର୍ଟ ରାୟ ଦେଇଥିଲେ। ଏହା ପରିବର୍ତ୍ତେ ଅପରାଧୀଙ୍କୁ ଜେଲ ଅବା ଜରିମାନା ଦେବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ।