ସୋନିଆଙ୍କୁ ଭେଟିଲେ ମହିଳା କଂଗ୍ରେସ ଟିମ୍‌

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିବା ମହିଳା କଂଗ୍ରେସ ଟିମ୍‌ ସୋମବାର ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ସଂସଦ ଭବନର ୨୪ ନମ୍ବର ପ୍ରକୋଷ୍ଠରେ ରାଜ୍ୟ ମହିଳା ନେତ୍ରୀମାନେ ସୋନିଆଙ୍କୁ ସାକ୍ଷାତ କରିବା ସହ କିଛି ସମୟ ଆଲୋଚନା କରିଥିବା ଜଣାପଡିଛି। ଏହି ଅବସରରେ ରାଜ୍ୟରୁ ଅଭିଯୋଗ ପାଇଁ ଯାଇଥିବା ନେତାମାନେ ସୋନିଆଙ୍କୁ ଓଡିଶାରେ କଂଗ୍ରେସର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଏହାସହ ଦଳ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଅତି ଶୋଚନୀୟ ପରାଜିତ ହୋଇଥିବା ବେଳେ ୩ ନମ୍ବର ସ୍ଥାନକୁ ଚାଲିଯାଇଥିବା ଜଣାଇଛନ୍ତି। ଏହାସହ ସାଧାରଣ ନିର୍ବାଚନ ପରେ ପରେ ରାଜ୍ୟରେ ହୋଇଥିବା ଦୁଇ ଦୁଇଟି ଉପନିର୍ବାଚନରେ ମଧ୍ୟ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା କଥା କହିଛନ୍ତି। ଏଥିସହ ବର୍ତ୍ତମାନ ରାଜ୍ୟରେ ଦଳର ନେତୃତ୍ୱ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ ବୋଲି ଯୁକ୍ତି ରଖିବା ସାଙ୍ଗକୁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସପକ୍ଷରେ ଯୁକ୍ତି ବାଢିଥିବା ଜଣାପଡିଛି। ମହିଳା କଂଗ୍ରେସ ନେତ୍ରୀଙ୍କ ସମେତ ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସଙ୍କ ସହ ଆଉ କେତେଜଣ ନେତା ସେଠାରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସୋନିଆଙ୍କ ନିକଟରେ ଅଭିଯୋଗ କରିବା ଲାଗି ଦିଲ୍ଲୀ ଗସ୍ତ କରିଥିବା ଟିମ୍‌ ବହୁ କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ସାକ୍ଷାତ କରି ପିସିସି ସଭାପତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

Share