ନୂଆଦିଲ୍ଳୀ,୨୭।୨: କଂଗ୍ରେସ ନେତା ତଥା ପଞ୍ଜାବର ବିଧାୟକ ନଭଜୋତ୍ ସିଂହ ସିଦ୍ଧୁ ବୁଧବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ଦଳର ମୁଖିଆ ତାଙ୍କୁ ଦିଲ୍ଲୀ ଡକାଇଥିବା ବେଳେ ମଙ୍ଗଳବାର ଓ ବୁଧବାର ୨ଦିନ ଧରି ସେ ସୋନିଆ ଓ ପ୍ରିୟଙ୍କାଙ୍କୁ ଭେଟିଥିଲେ। ଏହି ବୈଠକରେ ଦଳର ନେତୃତ୍ୱ ସହ ପଞ୍ଜାବର ବର୍ତ୍ତମାନର ସ୍ଥିତି ଏବଂ ସହରରେ ବିକାଶକୁ ନେଇ କରାଯାଇଥିବା ରୋଡମ୍ୟାପ ବିଷୟରେ ସିଦ୍ଧୁ ସବିଶେଷ ଆଲୋଚନା କରିଥିଲେ। ଗତ କିଛି ମାସରୁ ସିଦ୍ଧୁ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ମଧ୍ୟରେ ମତାନ୍ତର ହେବା ପରେ ସେ ଦଳର ବିଭିନ୍ନ କାର୍ଯ୍ୟରୁ ଦୂରେଇ ରହୁଥିଲେ। ଇତିମଧ୍ୟରେ ସିଦ୍ଧୁ ଦଳର ହାଇକମାଣ୍ଡଙ୍କୁ ଭେଟିବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।