ସୋମବାରଠାରୁ ଗଡ଼ିବ ‘ମୋ ସାଇକେଲ’: ଜୁନ୍‌ ୩୦ ଯାଏ ଅଧଘଣ୍ଟା ମାଗଣା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): କରୋନା କଟକଣା ଓ ଲକ୍‌ଡାଉନ୍‌ ସମୟରେ ସାଇକେଲର ଆବଶ୍ୟକତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଆସନ୍ତା ସୋମବାରଠାରୁ ପୁଣି ‘ମୋ ସାଇକେଲ’ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଲୋକଙ୍କ ସୁବିଧା ପାଇଁ ରିହାତି ବ୍ୟବସ୍ଥା କରିଛି। ଲୋକେ ଜୁନ୍‌ ୩୦ ଯାଏ ଦିନକୁ ସର୍ବାଧିକ ଅଧଘଣ୍ଟା (ପ୍ରଥମ ରାଇଡ୍‌) ମାଗଣା ସେବା ପାଇପାରିବେ। ଏହାଠାରୁ ଅଧିକ ସମୟ ମୋ ସାଇକେଲ ଚଲାଇଲେ ଭଡ଼ା ଲାଗୁ ହେବ। ଏ ସମ୍ପର୍କରେ ସୂଚନା ଦେଇ ‘ମୋ ସାଇକେଲ’ ସେବା ଦାୟିତ୍ୱରେ ଥିବା କ୍ରୁଟ୍‌ର ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର କହିଛନ୍ତି, ଏବେ ନିଜ ସ୍ବାସ୍ଥ୍ୟକୁ ସୁସ୍ଥ ତଥା ସମୃଦ୍ଧ ରଖିବା ଓ ମାନସିକ ସ୍ବାସ୍ଥ୍ୟ ରକ୍ଷା ପାଇଁ ସାଇକଲ ଚଲାଇବା ଲାଭଦାୟକ। କିଛିଦିନ ହେବ ଏହି ସେବାକୁ ବନ୍ଦ ରଖାଯାଇଥିଲା। ଜନସାଧାରଣଙ୍କ ଅନୁରୋଧକୁ ଆଧାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଅନୁମତି ମିଳିଛି। ଭୁବନେଶ୍ୱରବାସୀ ମା ସାଇକେଲ ରାଇଡ୍‌ର ସୁବିଧା ପାଇବା ସହ ସହ ଫ୍ରି ରାଇଡ୍‌ ଅଫରର ଲାଭ ଉଠାଇବା ଦରକାର ବୋଲି ସେ କହିଛନ୍ତି।

ତେବେ ପ୍ରାଥମିକ ପର୍ଯ୍ୟାୟରେ ୩୦୦ଟି ସାଇକେଲ (ୟାନା ଓ ୟୁଲୁ) ସହରରେ ଥିବା ୫୦ ପବ୍ଲିକ୍‌ ବାଇକ ସେୟାରିଂ ଷ୍ଟେଶନରେ ଉପଲବ୍ଧ ହେବ। ଉକ୍ତ ସାଇକଲଗୁଡିକୁ ବିଶୋଧନ କରାଯାଇଥିବାବେଳେ ଏହା ନିୟମିତ ହେବ। ସାଇକେଲ କେବେ ବିଶୋଧନ ହୋଇଥିଲା ବ୍ୟବହାରକାରୀମାନେ ଆପ୍‌ ମାଧ୍ୟମରେ ସୂଚନା ପାଇପାରିବେ। ଏହି ସେବା ପାଇଁ ଟେକ୍ନିକାଲ ଟିମ୍‌ କାର୍ଯ୍ୟରତ ଥିବାବେଳେ ପ୍ରତି ବ୍ୟବହାର ପରେ ସାଇକେଲକୁ ପୁଣିଥରେ ପୂର୍ଣ୍ଣ ବିଶୋଧନ କରାଯାଇ ବ୍ୟବହାର ପାଇଁ ରଖାଯିବ। ତେବେ ମୋ ସାଇକେଲ ବ୍ୟବହାର ସମୟରେ ମାସ୍କ ଓ ଗ୍ଲୋବ୍‌ସର ବ୍ୟବହାର କରିବାକୁ ହେବ। ସାଇକେଲ ଷ୍ଟେଶନରେ ଭିଡ଼ ନ କରି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କ୍ରୁଟ୍‌ର ମହାପ୍ରବନ୍ଧକ ମହାପାତ୍ର ପରାମର୍ଶ ଦେଇଛନ୍ତି।

Share