Categories: ବାଣିଜ୍ୟ

ସୋମବାର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ,୭-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ଆୟକର ବିଭାଗର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର(ଏନ୍‌ଇଏସି)ର ଶୁଭାରମ୍ଭ କରିବେ। ଏହା ଦ୍ୱାରା ଟିକସଦାତା ଏବଂ ଟିକସ ଅଧିକାରୀଙ୍କ ମଧ୍ୟରେ ଆଉ ସାମ୍ନା ସାମ୍ନି ହେବାକୁ ପଡିବ ନାହିଁ। ଉକ୍ତ ସେଣ୍ଟର ଦ୍ୱାରା ଟିକସଦାତାଙ୍କ ଲାଗି ଉନ୍ନତ ସେବା, ଟିକସଦାତାଙ୍କ ଅଭିଯୋଗରେ ହ୍ରାସ ଭଳି ବିଭିନ୍ନ ପ୍ରସଙ୍ଗ ଆଧାରରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ସରକାରଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଅନ୍ତର୍ଗତ ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଁ ବିଜନେସକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି ଏକ ଯୋଜନା ହାତକୁ ନିଆଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି। ଟିକସ ଆସେସମେଣ୍ଟ କ୍ଷେତ୍ରରେ ନୂଆ ପଦକ୍ଷେପ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଲୋକମାନେ ଟିକସ ଅଧିକାରୀଙ୍କୁ ନ ଭେଟି ମଧ୍ୟ ସେମାନଙ୍କ ଟିକସ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ କରିପାରିବେ। ନୂଆ ସିଷ୍ଟମ ମୁତାବକ ଟିକସଦାତା ସେମାନଙ୍କ ପଞ୍ଜୀକୃତ ଇ-ମେଲ ଏବଂ ଆୟକର ବିଭାଗ ଓ୍ବେବପୋର୍ଟାଲରେ ପଞ୍ଜୀକୃତ ଆକାଉଣ୍ଟରେ ନୋଟିସ ପାଇବେ। ଆୟକର ବିଭାଗ ନିକଟରେ ପଞ୍ଜୀକରଣ ହୋଇଥିବା ମୋବାଇଲ ନମ୍ବରରେ ରିଅଲଟାଇମ୍‌ ଭିତ୍ତିରେ ଏସ୍‌ଏମ୍‌ଏସ୍‌ ଆଲର୍ଟ ପାଇପାରିବେ। ଯଦି କୌଣସି କ୍ଷେତ୍ରରେ ଅସଙ୍ଗତି ଆସେ ତେବେ ଟିକସଦାତାଙ୍କୁ ଏଭଳି ଉପାୟରେ ବିଭାଗ ସମ୍ପର୍କ କରିବ। ଟିକସଦାତା ଏହାର ଉତ୍ତର ଘରେ କିମ୍ବା ନିଜ କାର୍ଯ୍ୟାଳୟରେ ପ୍ରସ୍ତୁତ ରଖି ନ୍ୟାଶନାଲ ଇ-ଆସେସମେଣ୍ଟ ସେଣ୍ଟରକୁ ମେଲ୍‌ କରିପାରିବେ॥ ଉତ୍ତରକୁ ବିଭାଗର ନିର୍ଦ୍ଧାରିତ ଓ୍ବେବ ପୋର୍ଟାଲରେ ଅପଲୋଡ କରିବାକୁ ହେବ।

Share