ସୋମବାର ଲଘୁଚାପ ସୃଷ୍ଟି ସମ୍ଭାବନା: ୯ରୁ ପ୍ରବଳ ବର୍ଷା

ଭୁବନେଶ୍ୱର, ୭।୬(ବ୍ୟୁରୋ)- ବାତ୍ୟ ‘ଅମ୍ଫନ’ ଓ ‘ନିସର୍ଗ’ ପରେ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ସୋମବାର ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୯ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ଖୋର୍ଦ୍ଧା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୯ତାରିଖ ଦିନ ଗଞ୍ଜାମ ଓ ଗଜପତି ଜିଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଏହି ଦୁଇ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୦ତାରିଖ ଦିନ ନବରଙ୍ଗପୁର, କେରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ୮ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ପ୍ରବଳ ବର୍ଷା ନେଇ ଏସବୁ ଜିଲାକୁ ୟୋଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୧ତାରିଖ ଦିନ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କେରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ପୁରୀ ଓ ବୌଦ୍ଧ ଆଦି ୧୦ଜିଲାରେ ବର୍ଷା ହେବ। ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେପଟେ କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ।
ତେବେ ସୋମବାର ଉପକୂଳ ଓଡ଼ିଶା ସମତେ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେବଳ ବର୍ଷା ନୁହେଁ ବଜ୍ରପାତ ହେବା ମଧ୍ୟ ହେବାର ଆଶଙ୍କା ରହିଛି। ଉତ୍ତର ଉପକୂଳ ଓଡ଼ିଶା ସମତେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ଗଜପତି, କେରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଆଦି ୧୦ଜିଲାକୁ ଝଡ଼ତୋଫାନ ସହି ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରି ଧିରେ ଧିରେ ଆଗକୁ ଅଗ୍ରସର ହେଉଛି। ଏହି ପ୍ରକ୍ରିୟା ଯଦି ଜାରି ରହିବ ତେବେ ୨ରୁ ୪ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚତ୍ପାରେ ବୋଲି ଆକଳନ କରାଯାଉଛି।

Share