ସୋମବାର ସୂର୍ଯ୍ୟକୁ ଅତିକ୍ରମ କରିବ ବୁଧ: ଭାରତରେ ହେବ ନାହିଁ ଦୃଶ୍ୟମାନ

ଓ୍ବାଶିଂଟନ,୧୦।୧୧: ସୋମବାର ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ। ଫଳରେ ସୂର୍ଯ୍ୟ ଉପରେ ଏକ ବଡ଼ କଳାଜାଇ ଗତି କରୁଥିବାର ଦେଖାଯିବ। ଏହା ଗ୍ରୀନିଚ୍‌ ମିନ୍‌ ଟାଇମ୍‌ ୧୧ଟା ୩୫ ମିନିଟ୍‌ ଅର୍ଥାତ୍‌ ଭାରତୀୟ ସମୟ ସଂନ୍ଧ୍ୟା ୬ଟା ୪ ମିନିଟ୍‌ରୁ ଆରମ୍ଭ ହେବ। ଏହି ମହାଜାଗତିକ ଦୃଶ୍ୟ ୫ ଘଣ୍ଟା ୫୦ ମିନିଟ୍‌ ଧରି ଦେଖିବାକୁ ମିଳିବ। ଭାରତୀୟ ସମୟ ରାତି ୧୧ଟା ୩୦ମିନିଟ୍‌ରେ ଏହା ଶେଷ ହେବ। ତେବେ ଅନ୍ଧାର ଯୋଗୁ ଏହି ମହାଜାଗତିକ ଦୃଶ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହାକୁ ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍‌ ମହାସାଗର, ଭାରତ ମହାସାଗର, ଆଫ୍ରିକା, ୟୁରୋପ ଏବଂ ଦକ୍ଷିଣ ଆମେରିକାରେ ଦେଖାଯାଇ ପାରିବ। ଏହି ସମୟରେ ସୂର୍ଯ୍ୟ ଉପରେ ଧୀରେଧୀରେ ଏକ ବଡ଼ କଳାଜାଇ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଗତି କରିବ। ଏହି ଦୁର୍ଲଭ ଦୃଶ୍ୟକୁ ଦେଖିବା ପାଇଁ ନାସା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୨୦୩୨ରେ ପୁଣି ଥରେ ଏହି ଦୃଶ୍ୟ ଦେଖିବାକୁ ମିଳିବ। ପ୍ରତି ଶହେ ବର୍ଷରେ ବୁଧ ୧୩ ଥର ଏଭଳି ସୂର୍ଯ୍ୟର ନିକଟତର ହୋଇଥାଏ। ଏହା ଚନ୍ଦ୍ରଗ୍ରହଣ ଅବା ସୂର୍ଯ୍ୟପରାଗ ଭଳି ଘଟଣା ହୋଇଥିବାରୁ ଏହାକୁ ଖାଲି ଆଖିରେ ଦେଖିବାକୁ ନାସା ପକ୍ଷରୁ ବାରଣ କରାଯାଇଛି।

Share