ସୋର ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୭ ଗ୍ରାମର ମୁଖ୍ୟ ରାସ୍ତା ସିଲ୍‌

ସୋର, ୩୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ତଳନଗର ପଞ୍ଚାୟତର ବେଲସବିରା ଓ ସୁନାରୀ ଗ୍ରାମରେ ବୁଧବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଟକଣା କଡାକଡି କରାଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଡ଼ିଓ ସୁଶାନ୍ତ ବାରିକ, ତହସିଲଦାର ଅଶୋକ କୁମାର ଦାସ, ଉପଜିଲାପାଳ ନୀଲୁ ମହାପାତ୍ର, ସୋର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାକେଶ ପଣ୍ଡା, ଡା. ସତ୍ୟନାରାୟଣ ନାୟକ ତଥା ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ଦାସ ପ୍ରମୁଖ ଗୁରୁବାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସଂକ୍ରମଣ ରୋକିବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ୭ଟି ଗ୍ରାମର ମୁଖ୍ୟ ରାସ୍ତାକୁ ସିଲ୍‌ କରାଯାଇ ଘରୁ ନ ବାହାରିବା ପାଇଁ ତାଗିଦ୍‌ କରାଯାଇଛି। ଆସନ୍ତା ୬ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଦମକଳବାହିନୀ ଦ୍ୱାରା ପଞ୍ଚାୟତର ୭ଟି ଗ୍ରାମକୁ ସାନିଟାଇଜର କରାଯାଇଛି।
ଦୁଇ ଆକ୍ରାନ୍ତ ଗତ ଏପ୍ରିଲ ୫ତାରିଖରେ ପଶ୍ଚିମବଙ୍ଗରୁ ଗ୍ରାମକୁ ଫେରିଥିଲେ। ଦୁହଁିଙ୍କୁ କ୍ୱାରାଣ୍ଟାଇନ୍‌ରେ ସ୍ଥାନୀୟ ପଞ୍ଚାୟତ ତରଫରୁ ରଖାଯାଇଥିଲା। ସୋରରେ କରୋନା ପଜିଟିଭ୍‌ ଯୋଗୁ କୋକୁଆଭୟ ସୃଷ୍ଟି ହୋଇଛି। ପ୍ରଶାସନ ତରଫରୁ ବାଇକ୍‌ରେ ଯାତାୟାତ ଓ ସାମାଜିକ ଦୂରତ୍ୱ ନେଇ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ସୋର ଥାନା ତରଫରୁ ବିଭିନ୍ନ ଛକ, ମୁଖ୍ୟରାସ୍ତାରେ ପୋଲିସ ମୁତୟନ କରାଯାଇଛି।