ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ

ଯୋଡ଼ା,୨୨।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଚମକପୁର ପଞ୍ଚାୟତରେ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ବ୍ଲକର ରେଭେନ୍ସାପୁର (କ) ଗ୍ରାମବାସୀ ଜଗନ୍ନାଥ ତିରିଆ, ସୁରେଶ ମୁଣ୍ଡା, ଧୀରେନ୍‌ ମହାକୁଡ଼, ଦିଲୀପ ମହାକୁଡ, ସାରିଶ ମୁଣ୍ଡା ପ୍ରମୁଖ ଅଭିଯୋଗ କରି କହିଛନ୍ତି ଯେ, ଡିଏମ୍‌ଏଫ୍‌ (ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ) ଟଙ୍କା ବ୍ୟୟରେ ଯୋଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆଲୋକୀକରଣ ପାଇଁ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଆବଣ୍ଟନ କରାଯାଇଛି। ମାତ୍ର ଚମକପୁର ଗ୍ରାମରେ ୩୪ଟି ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବା ପରିବର୍ତ୍ତେ ୧୮ ଟି ଲଗାଯାଇଛି । ସେହିପରି ରେଭେନ୍ସାପୁର(କ) ଗ୍ରାମର ୩୨ଟି ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା ପରିବର୍ତ୍ତେ ୮ଟି ଲଗାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଏହି ୮ଟି ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟରୁ ଧୋବାକୁଚୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ୩ଟି ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଛି ବୋଲି ମଧ୍ୟ ସେମାନେ କହିଛନ୍ତି। ରେଭେନ୍ସାପୁର(କ) ଗ୍ରାମରେ ବାକିଥିବା ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ ହେଁ, ଉକ୍ତ ଗ୍ରାମଟି କାନପୁର ପ୍ରକଳ୍ପର ବୁଡି ଅଞ୍ଚଳ ହୋଇଥିବା କହି ଲାଇଟ୍‌ ଲାଗି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ଗ୍ରାମରେ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଉଥିବା କଣ୍ଟ୍ରାକ୍ଟର ସ୍ଥାନୀୟ ଜନପ୍ରତିନିଧିଙ୍କ ସହିତ ମିଶି ଷ୍ଟ୍ରିଟ୍‌ ଲାଇଟ୍‌ ବଣ୍ଟନରେ ଅର୍ଥ ବାଟମାରଣା କରିଥିବା ଅଭିଯୋଗ ହୋଇଛି । ଗ୍ରାମ ରାସ୍ତା କଡ଼ରେ ଏହି ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବାର ନିର୍ଦ୍ଦେଶ ରହିଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଓ ଠିକାସଂସ୍ଥା ପକ୍ଷରୁ ଅର୍ଥ କାରବାର କରାଯାଇ ଏପରି ଅନିୟମିତତା ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।