ସୋସାଇଟି ପଞ୍ଜୀକରଣ ଆଇନ୍‌ ସଂଶୋଧନ ନିଷ୍ପତ୍ତିକୁ ବିରୋଧ

ବାଲେଶ୍ୱର ଅଫିସ,୧୭।୬- ବାଲେଶ୍ୱର ଫକୀରମୋହନ ଗୋଲେଇ ନିକଟସ୍ଥ ନିଜସ୍ବ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ସୋସାଇଟି ପଞ୍ଜୀକରଣ ଆଇନ୍‌ ସଂଶୋଧନ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଇଛି। ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରି ଗତ ୧୮୬୦ରେ ପ୍ରଣୀତ ସୋସାଇଟି ପଞ୍ଜୀକରଣ ଆଇନ୍‌ ଅନୁଯାୟୀ ଆମ ରାଜ୍ୟରେ ଶହଶହ ସୋସାଇଟି ପଞ୍ଜିକୃତ ହୋଇ ବହୁ ସାମାଜିକ ସେବାକାର୍ଯ୍ୟ କରୁଛନ୍ତି। ଅନେକ ସୋସାଇଟି ରାଜ୍ୟ ଓ କେନ୍ଦ୍ର ସରକାର କିମ୍ବା କୌଣସି ବିଦେଶୀ ସଂସ୍ଥାରୁ କୌଣସି ଅର୍ଥ ଗ୍ରହଣ ନ କରି ନିଜସ୍ବ ଉଦ୍ୟମରେ ସେବାକାର୍ଯ୍ୟ କରୁଛନ୍ତି। କିନ୍ତୁ ସେହି ସୋସାଇଟିମାନଙ୍କର ପ୍ରତି ୫ବର୍ଷରେ ନବୀକରଣ ପାଇଁ ଆଇନଗତ ବାଧ୍ୟବାଧକତାକୁ ମଞ୍ଚ ଦୃଢ଼ ବିରୋଧ କରିଛି। ରାଜ୍ୟ ସରକାର ଏହି ଉଦ୍ୟମରୁ ବିରତ ହେବାକୁ ମଞ୍ଚ ତରଫରୁ ସର୍ବସମ୍ମତ ନିବେଦନ କରାଯାଇଛି।
ସେହିପରି ମହାମାରୀ କରୋନା ସମୟରେ ବହୁ ବରିଷ୍ଠ ନାଗରିକ ଗୃହବନ୍ଦୀ ଭାବେ ପାରିବାରିକ ଓ ସାମାଜିକ ଅବହେଳାର ଶୀକାର ହେଉଥିବା, ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଜିଲା ପ୍ରଶାସନ ସେ ଦିଗରେ ଗୁରୁତ୍ୱ ଆରୋପ କରୁ ନ ଥିବା, କେତେକ ପୋଲିସ୍‌ ଷ୍ଟେଶନ୍‌ରେ ବରିଷ୍ଠ ନାଗରିକ ସେଲ୍‌ ସଠିକ୍‌ କାର୍ଯ୍ୟ କରୁ ନ ଥିବା ଭଳି ଅଭିଯୋଗ ଉପରେ ଆଲୋଚନା କରିଥିଲେ। ସେହିପରି ଜିଲାରେ କରୋନା ରୋଗୀ ପରୀକ୍ଷଣ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗକୁ ନିବେଦନ କରାଯାଇଛି। ବୈଠକରେ ଜିଲା କମିଟିର ୩୮ଜଣିଆ କର୍ମକର୍ତ୍ତା ମଣ୍ଡଳୀ ଓ ଦେବବ୍ରତ ପାଣିଗ୍ରାହୀଙ୍କୁ ନବନିର୍ବାଚିତ ସମ୍ପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି। ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ଆଲୋଚନାର ବିଷୟ ଓ ଶୋକପ୍ରସ୍ତାବ ଆଗତ କରିଥିବା ବେଳେ ଗିରିଶ ଚନ୍ଦ୍ର ଦାଶ, ହରମୋହନ ଦାଶ, ଶରତ ଚନ୍ଦ୍ର ଦାଶ, ଡ. ପଦ୍ମଲୋଚନ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ଦେବେନ୍ଦ୍ର ଚୌଧୁରୀ, ମଧୁସୂଦନ ଜେନା, ନିରୁପମା ସେଠୀ, ମନୋରଞ୍ଜନ ପାଲ୍‌ ଓ ବ୍ରଜସୁନ୍ଦର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।