ସୋସିଆଲ ମିଡିଆରୁ ଯୁବତୀଙ୍କ ଫଟୋ ନେଇ ପର୍ନସାଇଟରେ ହେଉଛି ଅପଲୋଡ୍‌

ଭୁବନେଶ୍ୱର,୨୧ା୬(ବ୍ୟୁରୋ)-ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଯୁବପିଢି କିଛି ଲାଇକ୍‌ ପାଇଁ ନିଜର ଫଟୋକୁ ସୋସିଆଲ ମିଡ଼ିଆରେ ଛାଡୁଛନ୍ତି। ବିଶେଷ କରି ଯୁବତୀମାନେ ସୋସିଆଲ ମିଡ଼ିଆରେ ଫଟୋ ଛାଡିବାରେ ପୁରୁଷଙ୍କ ଅପେକ୍ଷା ଆଗରେ ଅଛନ୍ତି। କିନ୍ତୁ ସେମାନଙ୍କ ଫଟୋ ସୋସିଆଲ ମିଡ଼ିଆରୁ ନିଆଯାଇ ପର୍ନସାଇଟ୍‌ରେ ଅପଲୋଡ୍‌ ହୋଇ ଅଶ୍ଲୀଳ ଭାଷାରେ ଲେଖାଯାଉଛି। ଯାହାଫଳରେ ଅନେକ ଯୁବତୀ ବଦନାମ ହେଉଛନ୍ତି। ଏନେଇ ଥାନାରେ ଅଭିଯୋଗେ ହେଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରୁନି। ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ଫଟୋ ସୋସିଆଲ ମିଡ଼ିଆରୁ ନିଆଯାଇ ପର୍ନସାଇଟ୍‌ରେ ଅଶ୍ଲୀଳ ଭାଷାରେ ଲେଖାଯାଇ ଅପଲୋଡ଼୍‌ ହୋଇଛି। ଏନେଇ ଯୁବତୀ ଜଣଙ୍କ ଜାଣିବା ପରେ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ କେସ୍‌ ନଂ-୮୭/୨୦ ଏବଂ ଆଇଟି ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଛାଡିଥିଲେ। ହେଲେ କେହି ବ୍ୟକ୍ତି ତାଙ୍କର ଫଟୋକୁ ସ୍କ୍ରିନ୍‌ ସଟ୍‌ମାରି ନେବା ପରେ ଏହାକୁ ପର୍ନସାଇଟ୍‌ରେ ଅପଲୋଡ଼୍‌ କରିଛନ୍ତି। ଏପରିକି ଫଟୋ ତଳେ ଅଶ୍ଲୀଳ ଭାବେ କଲ୍‌ଗାର୍ଲ ବୋଲି ଲେଖାଯାଇଛି। ଏହି ଫଟୋ ଗତ ୧୪ ତାରିଖରେ ଅପଲୋଡ଼୍‌ ହୋଇଥିଲା। ଯୁବତୀଙ୍କ ଜଣେ ସାଙ୍ଗ ଏହି ଫଟୋ ପର୍ନସାଇଟ୍‌ରୁ ଦେଖି ଯୁବତୀଙ୍କୁ ଜଣାଇଥିଲେ। ଯୁବତୀ ଜଣଙ୍କ ଏନେଇ ଉକ୍ତ ସାଇଟ୍‌କୁ ଯାଇ ଚେକ୍‌ କରିବା ପରେ ତାଙ୍କ ଫଟୋ ରହିଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ଶେଷରେ ଯୁବତୀ ଜଣଙ୍କ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ।

Share