ସୋସିଆଲ ମିଡିଆରେ ଆନନ୍ଦବଜାର ଫଟୋ ଭାଇରାଲ

ପୁରୀ ଅଫିସ,୭ା୧୦ : ସୋସିଆଲ ମିଡିଆରେ ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ। ଆନନ୍ଦବଜାର ପରିସରରେ ମହାପ୍ରାସଦ ସେବନ କରୁଥିବା କେଜେଜଣ ଭକ୍ତଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଗଣମାଧ୍ୟମରେ ଖବର ପ୍ରଚାରିତ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମନ୍ଦିର ପ୍ରଶାସନ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିବା ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପଣ୍ଡା କହିଛନ୍ତି। ଶ୍ରୀମନ୍ଦିର ପରିସରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ଏନେଇ ଚାରିଦ୍ୱାରରେ ପ୍ରଶାସନ ପକ୍ଷରୁ ଫଳକ ଲାଗିଛି। ତା ସତ୍ତ୍ୱେ ମୋବାଇଲ ଫୋନ କିପରି ଶ୍ରୀମନ୍ଦିର ଭିତରକୁ ଗଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର ଭିତର ବେଢାରେ ସିସିଟିଭି ଖଞ୍ଜାଯାଇଛି। ତଥାପି ଏ ଘଟଣା ସମ୍ପର୍କରେ କିପରି ପ୍ରଶାସନ ନା ପୋଲିସ କେହି ବି ଜାଣି ପାରିଲେ ନାହିଁ। ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥାକୁ ଏହା ସ୍ପଷ୍ଟ ଭାବେ ପରିପ୍ରକାଶ କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଭିତର ବେଢା ଫଟୋ ଭାଇରାଲ ହେବା କୌଣସି ନୂତନ ଘଟଣା ନୁହଁ। ଏଭଳି ଘଟଣା ବହୁବାର ଘଟିଛି। ବାଇଶି ପହାଚରେ ଶ୍ରାଦ୍ଧଦାନ କରୁଥିବା ବେଳେ ଫଟୋ ଭାଇରାଲ କରି ପୂର୍ବରୁ ଜଣେ ପୋଲିସ ଏଏସ୍‌ଆଇ ନିଲମ୍ବିତ ହୋଇଥିଲେ। ଏହା ଉପରେ କଡା ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Share