Categories: ବାଣିଜ୍ୟ

ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ଗୋୟଲ

ନୂଆଦିଲ୍ଲୀ,୧୩-୯: ମହାନ୍‌ ବୈଜ୍ଞାନିକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ମାଧ୍ୟାକର୍ଷଣ ଶକ୍ତିକୁ ଖୋଜି ବାହାର କରିଥିଲେ ବୋଲି ସମସ୍ତେ ଜାଣନ୍ତି। ତେବେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏହାର ଆବିଷ୍କାରକ ଆଇନ୍‌ଷ୍ଟାଇନ୍‌ ବୋଲି ଅଭିହିତ କରିଛନ୍ତି। ଗୋୟଲଙ୍କ ଏହି ଟିପ୍ପଣୀ ଇଣ୍ଟରନେଟ୍‌ରେ ହସର ଖୋରାକ୍‌ ଯୋଗାଇଛି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରାଯାଇଛି ଓ ୟୁଜରମାନେ ତାଙ୍କୁ ଏଥିନେଇ ସମାଲୋଚନା କରିଛନ୍ତି। ଇଣ୍ଟରନେଟ ୟୁଜର ମିମ୍ସ ତିଆରି କରି ଗୋୟଲଙ୍କୁ ପରିହାସ କରିବାକୁ ପଛାଇ ନାହାନ୍ତି। ଗୁରୁବାର ବୋର୍ଡ ଅଫ୍‌ ଟ୍ରେଡ଼୍‌ର ବୈଠକରେ ଯୋଗଦେଇ ଗୋୟଲ ଅର୍ଥନୀତି ଉପରେ ନିଜର ମତ ରଖିବା ବେଳେ ଆଇନଷ୍ଟାଇନ୍‌ଙ୍କୁ ମାଧ୍ୟାକର୍ଷଣ ଶକ୍ତି ଖୋଜିବା ବେଳେ ଗଣିତ ସହାୟତା କରି ନ ଥିଲା ବୋଲି କହିଛନ୍ତି। ଏଣୁ ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପରିଣତ କରିବା ଲକ୍ଷ୍ୟକୁ ଗାଣିତିକ ନଜରରେ ଦେଖିବା ଅନୁଚିତ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ତାଙ୍କର ଏହି ଟିପ୍ପଣୀ ପରେ ୟୁଜରମାନେ ଟୁଇଟର ଓ ଫେସ୍‌ବୁକ୍‌ରେ ମାଧ୍ୟାକର୍ଷଣ ଶକ୍ତିର ଆବିଷ୍କାରକ ନ୍ୟୁଟନ ବୋଲି ଉଲ୍ଲେଖ କରି ଗୋୟଲଙ୍କୁ ତାଚ୍ଛଲ୍ୟ କରିବା ଆରମ୍ଭ କରିଦେଇଛନ୍ତି। ଏଥିପୂର୍ବରୁ ଓଲା, ଉବରକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌୍‌ଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ୍‌ କରାଯାଇଥିଲା। କିଛି ୟୁଜର ସୀତାରାମନ୍‌ ଓ ଗୋୟଲଙ୍କ ମନ୍ତବ୍ୟକୁ ମିଶାଇ ମଜା ଉଠାଉଥିବାର ଦେଖାଯାଇଛି। ଜଣେ ୟୁଜର ଲେଖିଛନ୍ତି ଯେ, ଭାରତର ଜିଡିପି ହ୍ରାସ ପାଉଛି କାରଣ ଯୁବବର୍ଗ ଏବେ ଜିଡିପିର ଗଣିତକୁ ଦେଖୁନାହାନ୍ତି।

Share