କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ସିଲିସୁଆଁ ଗ୍ରାମରୁ କିଛିମାସ ତଳେ ନିଖୋଜ ହୋଇଯାଇଥିବା ବାବୁଲା ମୁଣ୍ତା ବିଶାଖାପାଟଣାରେ ଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ତାଙ୍କର ଫଟୋ ଭାଇରାଲ ହେବା ପରେ ପରିବାର ଲୋକେ ଚିହ୍ନିପାରି ଯୋଗାଯୋଗ କରିଥିଲେ। ତାଙ୍କୁ ଖୋଜି ଆଣିବା ପାଇଁ ଗୁରୁବାର ତାଙ୍କ ମାମୁଁ ଚୈତନ୍ୟ ମୁଣ୍ତା ଓ ଅନ୍ୟଜଣେ ବନ୍ଧୁ ରମେଶ ମୁଣ୍ତା ଯାଇଥିବା ଜଣାପଡ଼ିଛି। ମାନସିକ ଚାପଗ୍ରସ୍ତ ହୋଇ ବାବୁଲା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ପଳାଇଥିବା ଜଣାପଡ଼ିଛି। ଏଣୁ କିପରି ଗଲେ ଓ କାହିଁକି ଗଲେ ସ୍ପଷ୍ଟ ଜଣାପଡ଼ିନାହିଁ।
ବାବୁଲା ବିବାହ କରିଥିଲେ। ତାଙ୍କର ସ୍ତ୍ରୀ ଓ ସନ୍ତାନଙ୍କ ଦେହାନ୍ତ ପରେ ମାନସିକ ଚାପଗ୍ରସ୍ତରେ ରହୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି। ବିଶାଖାପାଟଣାରେ ତାଙ୍କୁ ଜଣେ ସହୃଦୟ ବ୍ୟକ୍ତି ପାଇ ନିଜ ପାଖରେ ରଖି ଦେଖାଶୁଣା କରୁଛନ୍ତି। ସଂପୃକ୍ତ ବ୍ୟକ୍ତିଜଣକ ବାବୁଲାଙ୍କୁ ପାଇବା ପରେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ପରେ ବାବୁଲାଙ୍କୁ ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିବାବେଳେ ସେହି ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି।