ସୋସିଆଲ ମିଡିଆରେ ଭାଇରାଲ ହେଲେଣି ଆଉ ଜଣେ ରାନୁ ମଣ୍ଡଳ

ନୂଆଦିଲ୍ଲୀ,୨୫।୧୧: ପଶ୍ଚିମବଙ୍ଗ ରାଣାଘାଟ ରେଲଓ୍ବେ ଷ୍ଟେଶନରେ ଗୀତଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭାଇରାଲ ଭିଡିଓ ତାଙ୍କୁ ରାତାରାତି ସେଲିବ୍ରିଟି କରି ଦେଇଥିଲା। ତାଙ୍କ କଣ୍ଠର ଯାଦୁରେ ପ୍ରଭାବିତ ହୋଇ ବଲିଉଡ୍‌ ଗାୟକ ହିମେଶ ରେଶମିୟା ତାଙ୍କୁ ଗୀତ ଗାଇବାକୁ ଅଫର ଦେଇଥିଲେ। ଏବେ ସେହି ରାନୁ ମଣ୍ଡଳ ସାରା ଦେଶରେ ବେଶ୍‌ ପରିଚିତ। ସେ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଗୀତ ଗାଇ ଆଜି ବେଶ୍‌ ପରିଚିତି ଲାଭ କରିଛନ୍ତି। ଏବେ ରାନୁ ମଣ୍ଡଳଙ୍କ ପରି ଦେଖାଯାଉଥିବା ଆଉ ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ରାନୁଙ୍କ ପରି ଦେଖାଯାଉଥିବା ମହିଳା ଜଣକ ରାନୁଙ୍କ ଗୀତ ‘ତେରୀ ମେରି କାହାଣୀ’ ଗାଉଥିବା ଦେଖାଯାଇଛି। ତେବେ ମହିଳା ଜଣଙ୍କ ଗୁଆହାଟିର ବୋଲି କୁହାଯାଉଛି। ମହିଳାଙ୍କର ଏହି ଭିଡିଓଟିକୁ ରାନୁ ମଣ୍ଡଳ ଫ୍ୟାନ୍‌ କ୍ଲବ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିବା କୁହାଯାଉଛି। ଭିଡିଓଟି ଶେୟାର କରିବା ସହ ଲେଖାଯାଇଛି ରାନୁ ମଣ୍ଡଳ ୨.୦। ଅବଶ୍ୟ ଏଥିରେ ମହିଳାଙ୍କ ଗୀତ ଗାଇବା ଶୈଳୀ ଏତେ ଭଲ ନାହିଁ। କିନ୍ତୁ ସେ କେବଳ ରାନୁ ମଣ୍ଡଳଙ୍କ ପରି ଦେଖାଯାଉଥିବାରୁ ତାଙ୍କ ଭିଡିଓଟି ଶୁଟ୍‌ କରାଯାଇଥିବା କୁହାଯାଉଛି।

Share