ସୋସିଆଲ ମିଡିଆରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ଭାଇରାଲ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହାପ୍ରଭୁଙ୍କ କାର୍ତ୍ତିକ ଓ ଦାମୋଦର ବେଶର ଫଟୋ ଭାଇରାଲ ହେଉଛି। ତେବେ ଅକ୍ଟୋବର ୧୪ ତାରିଖରେ ପ୍ରଦୀପ୍ତ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ଫଟୋ ଭାଇରାଲ ହୋଇଥିବା ସୂଚନା ମିଳିଛି।

କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ମନ୍ଦିର ପ୍ରଶାସନ ଏବଂ ଏଏସ୍‌ଆଇ ପକ୍ଷରୁ କଡ଼ା ନଜର ରଖାଯାଇଥାଏ। ଏସବୁ ସତ୍ତ୍ୱେ କିଭଳି ଭାବେ ମୋବାଇଲ୍‌ରେ ଫଟୋ ଉଠାଯାଇ ଭାଇରାଲ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶଯୋଗ୍ୟ, କିଛି ଦିନ ତଳେ ପୁରୀ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଟିକ୍‌ଟକ୍‌ରେ ଭାଇରାଲ ହୋଇଥିଲା। ଜଣେ ଯୁବତୀ ନିଜ ଟିକ୍‌ଟକ୍‌ରେ ଭୋଗମଣ୍ଡପ ସମ୍ମୁଖର ଦୃଶ୍ୟ ଓ ଭୋଗ ପାଇଁ ଅବଢ଼ା ବୁହାଯିବା ସମୟର ଦୃଶ୍ୟକୁ ଶେୟାର କରିଥିଲେ।

Share