Categories: ଜାତୀୟ

ସୋସିଆଲ ମିଡିଆ ଛାଡ଼ିବେ ମୋଦି

ନୂଆଦିଲ୍ଲୀ,୩ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସୋସିଆଲ ମିଡିଆ ଛାଡ଼ିବା ନେଇ ଚିନ୍ତା କରୁଥିବା ସୋମବାର ଟୁଇଟ୍‌ କରି ଜଣାଇଛନ୍ତି। ଆସନ୍ତା ରବିବାର ପରେ ସେ ଟୁଇଟର, ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଓ ୟୁଟ୍ୟୁବ୍‌ ଛାଡ଼ିପାରନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏଭଳି ଖବର ଲୋକଲୋଚନକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସକ୍ରିୟ ଥିବା ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ମୋଦି ଅନ୍ୟତମ। ଏମିତିକି, ସୋସିଆଲ ମିଡିଆ ତାଙ୍କୁ ଏକ ନୂଆ ପରିଚୟ ଆଣିଦେଇଛି। ଏବେ ଟୁଇଟରରେ ମୋଦିଙ୍କ ୫.୩୩ କୋଟି ଅନୁଗାମୀ ରହିଥିବାବେଳେ ଫେସ୍‌ବୁକରେ ୪.୪୫କୋଟି, ଇନ୍‌ଷ୍ଟାଗ୍ରାମରେ ୩.୫୨କୋଟି ଅନୁଗାମୀ ରହିଛନ୍ତି। ସେହିପରି ୟୁଟ୍ୟୁବ୍‌ରେ ମୋଦିଙ୍କୁ ୪୫ଲକ୍ଷ ସବ୍‌ସ୍କ୍ରାଇବ କରିଛନ୍ତି। ଫେସ୍‌ବୁକ୍‌ରେ ସବୁଠୁ ସକ୍ରିୟ ୫୦ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ମୋଦି ଶୀର୍ଷରେ ରହିଛନ୍ତି। ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ମଧ୍ୟ ସେ ଆଗରେ ଅଛନ୍ତି। ତେବେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଛାଡ଼ିବା ଘୋଷଣା ପଛରେ କାରଣ କ’ଣ ତାହା ଜାଣିବା ପାଇଁ ଅନେକ ୟୁଜର ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ସମ୍ପର୍କରେ ମୋଦି କିଛି କହିନାହାନ୍ତି। ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ସମର୍ଥକମାନେ ତାଙ୍କୁ ଅନୁରୋଧ କରିଥିବା ଜଣାପଡିଛି।
୨୦୧୪ରେ ମୋଦି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ସେ ସୋସିଆଲ ମିଡିଆ ଜରିଆରେ
ତାଙ୍କ ସମର୍ଥକମାନଙ୍କ ସହ ସିଧାସଳଖ ସମ୍ପର୍କ ରଖୁଥିଲେ। ୨୦୦୯ରେ ସେ ଟୁଇଟର ଓ ଫେସ୍‌ବୁକ୍‌ରେ ଯୋଗଦେବା ପରଠାରୁ ଏଥିରେ ସକ୍ରିୟ ରହିଥିଲେ। ସେ କୌଣସି ପୋଷ୍ଟ ଶେୟାର କଲେ କିଛି ମିନିଟ ମଧ୍ୟରେ ହଜାର ହଜାର ‘ଲାଇକ୍‌’ ମନ୍ତବ୍ୟ ଓ ଉତ୍ତର ମିଳୁଥିଲା। ତେବେ ଦିଲ୍ଲୀ ଦଙ୍ଗା ଭଳି କେତେକ ବିଷୟରେ ସେ କୌଣସି ପ୍ରତିକ୍ରିୟା ଦେଉ ନଥିବାରୁ ବେଳେବେଳେ ସମାଲୋଚନାର ଶିକାର ମଧ୍ୟ ହେଉଥିଲେ। ସୋମବାର ରାତି ୮ଟା ୫୬ ମିନିଟରେ ସୋସିଆଲ ମିଡିଆ ଛାଡ଼ିବା କଥା ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଘଣ୍ଟାଏ ମଧ୍ୟରେ ଟୁଇଟରରେ ୬୫,୦୦୦ରୁ ଅଧିକ ‘ଲାଇକ୍‌’ କମେଣ୍ଟ ଓ ୪୨,୦୦୦ ଉତ୍ତର ଆସିବା ସହ ୨୨,୦୦୦ ଥର ରିଟୁଇଟ୍‌ ହୋଇଥିବା ଜଣାପଡିଛି। ଅପରପକ୍ଷରେ ସୋସିଆଲ ମିଡିଆ ଆକାଉଣ୍ଟ ନୁହେଁ, ମୋଦି ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେବା ଛାଡ଼ନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରିଛନ୍ତି।

Share