Categories: ବାଣିଜ୍ୟ

ସୋସିଆଲ ମିଡିଆ ଯୋଗୁ ଡାକଟିକେଟ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୨-୮: ଏକଦା ଭାବର ଆଦାନପ୍ରଦାନ ଏବଂ କୁଶଳତା ଜାଣିବାର ମୁଖ୍ୟ ମାଧ୍ୟମ ଥିଲା ଚିଠି। କିନ୍ତୁ ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତିର ବିକାଶ ସାଧନ ହେବା କାରଣରୁ ଚିଠି ପଠାଇବାର ଚଳନ କମିବାରେ ଲାଗିଲା। ଏବେ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆର ପ୍ରଚଳନ ପରେ ଲୋକେ ଚିଠି ପଠାଇବା ଭୁଲିବାକୁ ବସିଲେଣି। ଭାବର ଆଦାନପ୍ରଦାନ ଏବେ ସୋସିଆଲ ମିଡିଆ ଜରିଆରେ ସହଜରେ ଓ ତତ୍‌କ୍ଷଣାତ୍‌ ହୋଇପାରୁଛି। ଏଣୁ ଏବେ ଚିଠି ପଠାଇବା କମିବାରେ ଲାଗିଛି। ଅବସ୍ଥା ଏପରି ହେଲାଣି ଯେ, ଏବେ ଡାକଟିକେଟ ବିକ୍ରି ବହୁ ପରିମାଣରେ କମିଯାଇଛି। ଡାକ ବିଭାଗରୁ ଆର୍‌ଟିଆଇ ଜରିଆରେ ମିଳିଥିବା ସୂଚନା ମୁତାବକ ଡାକ ଟିକେଟ ବିକ୍ରି ପ୍ରତିବର୍ଷ ହ୍ରାସ ପାଇଚାଲିଛି। ମଧ୍ୟପ୍ରଦେଶର ନିମଚ ନିବାସୀ ଆର୍‌ଟିଆଇ କର୍ମୀଙ୍କ ଦ୍ୱାରା ହାସଲ କରାଯାଇଥିବା ତଥ୍ୟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୮-୧୯ରେ ଡାକ ବିଭାଗ ଟିକେଟ ବିକ୍ରିରୁ ଯେଉଁ ରାଜସ୍ବ ପାଇଛନ୍ତି, ତାହା ତହିଁ ପୂର୍ବବର୍ଷ ଅପେକ୍ଷା ୭୮.୬୬ ପ୍ରତିଶତ କମି ୭୮.୨୫ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଆର୍ଥିକ ବର୍ଷ ୨୦୧୭-୧୮ରେ ଟିକେଟ ବିକ୍ରିରୁ ଡାକ ବିଭାଗ ୩୬୬.୬୯ କୋଟି ଟଙ୍କାର ରାଜସ୍ବ ହାସଲ କରିଥିଲା। ତେବେ ଆର୍ଥିକ ବର୍ଷ ୨୦୧୬-୧୭ରେ ଏହା ୪୭୦.୯୦ କୋଟି ଟଙ୍କା ଥିଲା। ସାଇକୋଲୋଜିଷ୍ଟ ଡ.ସ୍ବାତୀ ପ୍ରସାଦଙ୍କ କହିବାନୁଯାୟୀ, ହାତ ଲେଖା ଚିଠିରେ ଜଣଙ୍କର ଭାବନା ଜଡିତ ରହୁଥିଲା। ତେବେ ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ ଭାବାବେଗ ଦୃଷ୍ଟିଗୋଚର ହେଉ ନାହିଁ। କାରଣ ଦେଖାଯାଇଛି ଯେ, ସୋସିଆଲ ମିଡିଆ ୟୁଜର ତୁରନ୍ତ ପ୍ରତିକ୍ରିୟା ଦେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ନକାରାମତ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଏଥିଯୋଗୁ ଲୋକଙ୍କ ମଧ୍ୟରେ ଚାପ ବଢ଼ୁଛି ଓ ଭାବାବେଗର ଶୀତଳଯୁଦ୍ଧ ଆରମ୍ଭ ହୋଇଯାଉଛି। ଏହାଦ୍ୱାରା ସମ୍ପର୍କ ପ୍ରଭାବିତ ହେଉଥିବା ଦେଖାଯାଉଛି ବୋଲି ସେ କହିଛନ୍ତି।

Share