Categories: ଜାତୀୟ

ସୋସିଆଲ ମିଡିଆ ସହ ଆଧାର ସଂଯୋଗ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ସୋସିଆଲ ମିଡିଆ ଆକାଉଣ୍ଟ ସହ ଆଧାର ସଂଯୋଗ କରାଇବା ଲାଗି ସରକାରଙ୍କର କୌଣସି ପ୍ରସ୍ତାବ ନ ଥିବା ବୁଧବାର ଲୋକ ସଭାରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏ ସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ବିଭିନ୍ନ ସମୟରେ ସରକାର ଏହାର ଅଡିଟ୍‌ ମଧ୍ୟ କରୁଛନ୍ତି। ଜନସାଧାରଣ ଦେଇଥିବା ତଥ୍ୟକୁ ଆଧାର କରି ଆଧାର କାର୍ଡ ପ୍ରସ୍ତୁତ କରାଯାଉଛି। ଯେଉଁମାନେ ମୋବାଇଲ ନମ୍ବର ଏବଂ ଇ-ମେଲ୍‌ ଠିକଣା ଦେଉଛନ୍ତି ତାହା ମଧ୍ୟ ଆଧାରରେ ସ୍ଥାନ ପାଉଛି। ଆଧାର ଡାଟାବେସ୍‌ରେ ବ୍ୟକ୍ତିଙ୍କ ନାମ, ଠିକଣା, ଲିଙ୍ଗ, ଜନ୍ମତାରିଖ, ବୟସ, ଫଟୋ ଏବଂ ବାୟୋମେଟ୍ରିକ୍‌ ତଥ୍ୟ (୧୦ ଆଙ୍ଗୁଠିର ଛାପ ଓ ୨ ଆଖିର ସ୍କାନ୍‌) ରହୁଛି। ପ୍ରବାସୀ ଭାରତୀୟ ଭାରତରେ ପହଞ୍ଚତ୍ବା ପରେ ସେମାନଙ୍କୁ ଆଧାର ନମ୍ବର ଯୋଗାଇଦେବାର ବ୍ୟବସ୍ଥା ହୋଇଛି। ତେବେ ଦେଶ ଓ ଜନହିତ ପାଇଁ ଆଇଟି ଆଇନର ଧାରା ୬୯ଏ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍‌ କରିବା କ୍ଷମତା ସରକାରଙ୍କର ରହିଛି। ବିଭିନ୍ନ କାରଣରୁ ଚଳିତ ବର୍ଷ ଅକ୍ଟୋବର ୩୧ ସୁଦ୍ଧା ସୋସିଆଲ ମିଡିଆ ପ୍ଲାଟଫର୍ମରୁ ୩୪୩୩ ୟୁଆର୍‌ଏଲ୍‌କୁ ବ୍ଲକ କରାଯାଇଥିବା ମନ୍ତ୍ରୀ କହିଥିଲେ।

Share