ସୋହେଲାରେ ବଢ଼ିଲା ଲକ ଡାଉନ କଟକଣା

ସୋହେଲା,୪।୪(ଡି.ଏନ.ଏ.)-ବରଗଡ ଜିଲା ସୋହେଲାରେ ଏଣିକି ଲକ ଡାଉନ କଟକଣାକୁ କଡାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି । ଶନିବାର ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୁଆନ ଲକ ଡାଉନ ପରିସ୍ଥିତି ନିରୀକ୍ଷଣ କରିବା ପାଇଁ ଏଠାକୁ ଆସିଥିଲେ। ଲୋକେ ବାଇକ ଧରି ବୁଲୁଥିବା ଏପରିକି ବିଭିନ୍ନ ଜାଗାରେ ଲୋକେ ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ପାଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏନେଇ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ନାଗରିକ କମିଟିର ଏକ ବୈଠକ ଡାକିଥିଲେ । ସୋହେଲା ଛତିଶଗଡ଼ ସୀମା ଅଂଚଳରେ ଥିବାରୁ ଏବଂ ୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ଏହା ଏକ ସମ୍ବେଦନଶୀଳ ଜାଗା । ତେଣୁ ଲକ ଡାଉନ କଟକଣାକୁ ଯେପରି ଠିକ ଭାବରେ କାର୍ଯ୍ୟକାରୀ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ପୂର୍ବରୁ ପ୍ରତି ଶନିବାର ବସୁଥିବା ସାପ୍ତାହିକ ହାଟକୁ ବନ୍ଦ କରାଯାଇଛି । ଏଣିକି ମେଡ଼ିସିନ ଦୋକାନ ଓ ଦୁଗ୍ଧ ଦୋକାନ ବ୍ୟତୀତ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସପ୍ତାହକୁ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ୧୧ ଟା ପର୍ଯ୍ୟନ୍ତ ଖୋଲା ରଖା ଯିବାକୁ ବୈଠକରେ ସ୍ଥିର କରାଯାଇଥିଲା । ଏହା ବ୍ୟତୀତ ବାଇକ ଚାଳନା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଅଯଥାରେ ଲୋକେ ବାଇକ ଧରି ବୁଲା ବୁଲି କଲେ ପୋଲିସ ବାଇକ ଜବତ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଅଶୋକ କୁମାର ଗଡ଼ତିଆ, ବିଡ଼ିଓ ବିଶ୍ୱ ରଞ୍ଜନ କର, ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ସ୍ୱାଇଁ, ଆଇଆଇସି ନିର୍ମଳ ମହାପାତ୍ର ଏବଂ ନାଗରିକ କମିଟିର ସଦସ୍ୟ ପ୍ରମୋଦ ଚନ୍ଦ୍ର ଦେବତା, ବଲବୀର ସିଂ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Share