Categories: ବାଣିଜ୍ୟ

ସୌଦିରେ ଡ୍ରୋନ ଆକ୍ରମଣ ପରେ; ପେଟ୍ରୋଲ ୧.୫୯, ଡିଜେଲ ୧.୩୧ଟଙ୍କା ବଢ଼ିଛି

ନୂଆଦିଲ୍ଲୀ,୨୩-୯: ସୌଦି ଆରବର ଆରାମ୍‌କୋ ତୈଳ ଭଣ୍ଡାରରେ ଡ୍ରୋନ ଆକ୍ରମଣ ପରେ ବିଗତ ୬ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଲିଟର ପିଛା ୧.୫୯ ଟଙ୍କା ଓ ଡିଜେଲ ଲିଟର ପିଛା ୧.୩୧ ଟଙ୍କା ବୃଦ୍ଧି ପାଇଛି। ୨୦୧୭ରେ ଦେଶରେ ଦୈନିକ ତେଲ ଦର ସମୀକ୍ଷା ଆରମ୍ଭ ପରଠାରୁ ଏହି ବୃଦ୍ଧି ସବୁଠାରୁ ଅଧିକ କୁହାଯାଉଛି।
ରବିବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୭ ପଇସା ବୃଦ୍ଧି କରାଯିବା ଯୋଗୁ ଲୋକେ ୭୩.୬୨ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଡିଜେଲ ଦର ଲିଟର ପିଛା ୧୮ ପଇସା ବୃଦ୍ଧି ପାଇ ୬୬.୭୪ ଟଙ୍କା ହୋଇଛି। ସୌଦି ଆରାମ୍‌କୋର ତୈଳ ଭଣ୍ଡାରରେ ଡ୍ରୋନ ଆକ୍ରମଣ ପରେ କ୍ରମାଗତ ୬ ଦିନ ହେବ ତେଲ ଦର ବଢ଼ିଛି। ଡ୍ରୋନ ଆକ୍ରମଣର ଦିନକ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହଠାତ୍‌ ୨୦ ପ୍ରତିଶତ ବୃଦ୍ଧି ପାଇଥିଲା। ତେବେ ଅଳ୍ପ କେଇଦିିନ ଭିତରେ ତୈଳ ଯୋଗାଣ ସ୍ବାଭାବିକ ହୋଇଯିବ ବୋଲି ସୌଦି ଆରବ ପ୍ରତିଶ୍ରୁତି ଦେବା ପରେ ଏବେ ଅଶୋଧିତ ତେଲ ଦର ହ୍ରାସ ପାଇଛି। ତେବେ ପୂର୍ବାପେକ୍ଷା ସେଭଳି ହ୍ରାସ ପାଇନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୌଦି ସରକାର ଭାରତକୁ ତେଲ ଯୋଗାଣ ଜାରି ରଖିବ ବୋଲି କହିଥିବା ଇଣ୍ଡିଆନ ଅଏଲ କର୍ପୋରେଶନ ଅଧ୍ୟକ୍ଷ ସଞ୍ଜୀବ ସିଂ କହିଛନ୍ତି। ତେବେ ଭାରତର ଅବଶିଷ୍ଟ ଚାହିଦା କାତାରରୁ ପୂରଣ କରାଯିବ। ଇତିମଧ୍ୟରେ ସୌଦି ଆରବ ସମ୍ପୂର୍ଣ୍ଣ ଏଲ୍‌ପିଜି ଯୋଗାଣ ଜାରି ରଖିପାରିବ ନାହିଁ ବୋଲି କହିବା ପରେ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ ଅକ୍ଟୋବରରେ ଆମଦାନୀ ଜାରି ରଖିବା ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ଟେଣ୍ଡର ଜାରି କରିଛି। ସୂଚନାଥାଉ କି, ଭାରତ ପ୍ରତି ମାସରେ ପ୍ରାୟ ୨ ଲକ୍ଷ ଟନ ଏଲ୍‌ପିଜି ସୌଦି ଆରବରୁ ଆମଦାନୀ କରିଥାଏ।

Share