ନୂଆଦିଲ୍ଲୀ,୧୬।୯: ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍କୋର ଅବକିକ୍ ଓ ଖୁରେସରେ ଥିବା ଦୁଇଟି ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଫଳରେ ସେଠାରେ ଅସ୍ଥାୟୀ ରୂପେ ତୈଳ ଉତ୍ପାଦନକୁ ବନ୍ଦ କରିଦିଆଯାଇଛି। ସୌଦି ଆରବ ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବ୍ଦୁଲ ଅଜିଜ୍ ବିନ୍ ସଲମାନ କହିଛନ୍ତି ଯେ, ଏହି ଆକ୍ରମଣ ଯୋଗୁ ଆରାମକୋର ମୋଟ ଉତ୍ପାଦନ ଅଧା ହୋଇଗଲାଣି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଯୋଗାଣ ବ୍ୟାହତ ହେବ। ଫଳସ୍ବରୂପ ବଜାରରେ ତେଲ ଦର ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ସୌଦି ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ଆରାମ୍କୋର ଦୈନିକ ୫୭ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଉତ୍ପାଦନ ପ୍ରଭାବିତ ହେଉଛି। ତୈଳ ଉତ୍ପାଦକ ଦେଶସମୂହକୁ ନେଇ ଗଠିତ ଓପେକ୍ ପକ୍ଷରୁ ଅଗଷ୍ଟରେ ଜାରି ତଥ୍ୟ ଅନୁଯାୟୀ ସୌଦି ଆରବ ଦୈନିକ ୯୮ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଉତ୍ପାଦନ କରୁଥିଲା। ଆରାମ୍କୋ ଉପରେ ହୋଇଥିବା ଡ୍ରୋନ ଆକ୍ରମଣର ପ୍ରଭାବ ସାରା ବିଶ୍ୱର ତୈଳ ଯୋଗାଣ ଉପରେ ପଡିବ ବୋଲି ମନେ କରାଯାଉଛି। ଆରାମ୍କୋର ଉତ୍ପାଦନ ମୂଳ ସ୍ଥିତିକୁ ନ ଆସିଲେ ବିଶ୍ୱ ବଜାରରେ ପ୍ରତି ମାସରେ ୧୫୦ ମିଲିୟନ ବ୍ୟାରେଲ ଅଶୋଧିତ ତେଲ କମିଯିବ। ଏହାଦ୍ୱାରା ଦର ବଢ଼ିଯିବ। ଖବରକାଗଜ ଅଏଲପ୍ରାଇସ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦୈନିକ ତେଲ ଯୋଗାଣର ଏକ ପଞ୍ଚମାଂଶ ଉକ୍ତ ଘଟଣା ଯୋଗୁ ପ୍ରଭାବିତ ହେବ। ଆରାମ୍କୋ ସର୍ବାଧିକ ତେଲ ଯୋଗାଣକାରୀଙ୍କ ମଧ୍ୟରେ ଅନ୍ୟତମ ଏବଂ ଅଶୋଧିତ ତେଲ ଯୋଗାଣରେ ଏହା ସର୍ବବୃହତ୍ କମ୍ପାନୀ। ବ୍ଲୁମ୍ବର୍ଗ ରିପୋର୍ଟ ଅନୁସାରେ କମ୍ପାନୀ ୨୦୧୮ରେ ୧୧୧ ବିଲିୟନ ଡଲାର ଲାଭ କରିଥିଲା। ଏହା ଆପଲ୍ ଓ ଗୁଗଲର ମୂଳ କମ୍ପାନୀ ଆଲ୍ଫାବେଟ୍ର ମୋଟ ବାର୍ଷିକ ଲାଭ ଠାରୁ ବହୁ ଅଧିକ। ଫୋବର୍ସ ରିପୋର୍ଟ ଅନୁସାରେ ୨୦୧୮ ପରିସଂଖ୍ୟାନ ଅନୁଯାୟୀ, ଆରାମ୍କୋ ବିଶ୍ୱରେ ସବୁଠାରୁ ଲାଭ କରିବାରେ ପ୍ରଥମ ସ୍ଥାନରେ ରହିଛି। ଏହା ୨୦୧୭ରେ ୧୦୦ ବିଲିୟନ ଡଲାର ଟିକସ ଦେଇଛି। ବିବିସିର ବିଜ୍ନେସ ଖବରଦାତା କ୍ୟାଟି ପ୍ରେସକଟ୍ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ସୌଦି ଆରବ ୧୦ ପ୍ରତିଶତ ତେଲ ଯୋଗାଇଥାଏ। ଯୋଗାଣ କମିବା ଅର୍ଥ ତେଲ ଦର ବଢ଼ିବ। ତୈଳ ଦର ଉପରେ ନଜର ରଖୁଥିବା ମର୍ନିଂଷ୍ଟାର ନିର୍ଦ୍ଦେଶକ ସ୍ୟାଣ୍ଡି ଫିଲ୍ଡନ କହିଛନ୍ତି, ସୋମବାର ବଜାର ଖୋଲିବା ମାତ୍ରେ ତେଲ ଦର ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ଏହାର ପ୍ରଭାବ ତୁରନ୍ତ ଦେଖାଯିବ ନାହିଁ। ତେବେ ସପ୍ତାହେ ପରେ ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ସେ କହିଛନ୍ତି।