Categories: ଜାତୀୟ

ସୌଦି ତେଲ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା:ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହେବନି

ନୂଆଦିଲ୍ଲୀ,୨୦-୯: ସୌଦି ଆରବ ତେଲ ଉତ୍ପାଦନ ପ୍ରଭାବିତ ହେବା ପରେ ଏହାର ପ୍ରଭାବ ଭାରତ ଉପରେ ପଡିଛି। ଆଗାମୀ ଦିନରେ ଏହି ସମସ୍ୟା ଲାଗି ରହିବା ନେଇ ଆଶଙ୍କା କରାଯାଇଛି। ଉକ୍ତ ସମସ୍ୟାର ଦୂରୀକରଣ ଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୌଦି ତେଲ ମନ୍ତ୍ରୀ ଅବଦୁଲାଜିଜ୍‌ ବିନ୍‌ ସଲମାନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଭାରତକୁ ତେଲ ଯୋଗାଣ ନେଇ ସୌଦି ପକ୍ଷରୁ ଦିଆଯାଇଥିବା ସବୁ ପ୍ରତିଶ୍ରୁତିକୁ ପାଳନ କରାଯିବ ବୋଲି ସଲମାନ ଧର୍ମେନ୍ଦ୍ରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେଲ କମ୍ପାନୀ ଉପରେ ଆକ୍ରମଣ ପୂର୍ବରୁ ଯେଉଁ ହାରରେ ଉତ୍ପାଦନ ହେଉଥିଲା ଉକ୍ତ ଧାରା ଶୀଘ୍ର ଫେରିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ସୌଦି ଆରବରୁ ଭାରତକୁ ତେଲ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ଇଣ୍ଡିଆନ ଅଏଲ କର୍ପୋରେଶନର ଅଧ୍ୟକ୍ଷ ସଞ୍ଜୀବ ସିଂ କହିଛନ୍ତି। ଭାରତକୁ ତେଲ ଯୋଗାଣ କ୍ଷେତ୍ରରେ ସୌଦି ଆରବ ଦ୍ୱିତୀୟ ବୃହତ୍‌ ରାଷ୍ଟ୍ର। ଏହା ଭାରତକୁ ମାସିକ ୨ ନିୟୁତ ଟନ୍‌ ଅଶୋଧିତ ତୈଳ ଯୋଗାଉଛି। ସେପ୍ଟେମ୍ବର ମାସ ଲାଗି ଯୋଗାଣ ହେବାକୁ ଥିବା ମୋଟ ତେଲ ମଧ୍ୟରୁ ୧.୨ରୁ ୧.୩ ନିୟୁତ ଟନ୍‌ ତେଲ ଭାରତ ଆସିଛି। ବଳକା ତେଲ ଯୋଗାଣ ନେଇ ପ୍ରତିଶ୍ରୁତି ମିଳିଥିବା ଜଣାପଡିଛି। ଅପରପକ୍ଷରେ ଏଲ୍‌ପିଜି କ୍ଷେତ୍ରରେ କିଛିଟା ବିଳମ୍ବ ହୋଇପାରେ। ମାତ୍ର ଆବଶ୍ୟକତା ଅନୁସାରେ ଭାରତ ଏଲ୍‌ପିଜି ପାଇପାରିବ। ଯଦି କୌଣସି ଅଭାବ ଦେଖାଯାଏ ତେବେ କାତାରରୁ ଏହା ଅଣାଯିବ ବୋଲି ସିଂ କହିଛନ୍ତି। ସୂଚନା ଯୋଗ୍ୟ ଭାରତ ସୌଦି ଆରବଠାରୁ ମାସିକ ୨ ଲକ୍ଷ ଟନ୍‌ ଏଲ୍‌ପିଜି ଆମଦାନୀ କରିଥାଏ।

Share