Categories: ବାଣିଜ୍ୟ

ସୌଦି ତେଲ ସଙ୍କଟ ବିଗାଡିଲା ବଜାର ମୁଡ୍‌;ଗୋଟିଏ ଦିନରେ ନିବେଶକ ହରାଇଲେ ୨.୭୨ ଲକ୍ଷ କୋଟି

ମୁମ୍ବାଇ,୧୮-୯: ସୌଦି ତେଲ କୂଅ ଉପରେ ଡ୍ରୋନ ଆକ୍ରମଣ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରି ବିକ୍ରି କାରଣରୁ ମଙ୍ଗଳବାର ଭାରତୀୟ ଷ୍ଟକ୍‌ ବଜାର ମୁଡ଼୍‌ ବିଗିଡିଯାଇଛି। ସପ୍ତାହର ଦ୍ୱିତୀୟ କାରବାର ଦିନରେ ବିଏସ୍‌ଇ ସେନସେକ୍ସ ୬୪୨.୨୨ ପଏଣ୍ଟ ହ୍ରାସ ପାଇ ୩୬,୪୮୧.୦୯ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୧୮୫.୯୦ ପଏଣ୍ଟ ହ୍ରାସ ପାଇ ୧୦,୮୧୭.୬୦ ସ୍ତରରେ ବନ୍ଦ ହୋଇଛି। ବଜାରରେ ଅସ୍ଥିରତା ପରିବେଶ ମଧ୍ୟରେ ଭାରି ମାତ୍ରାରେ ଶେୟାର ବିକ୍ରି ହେବା କାରଣରୁ ନିବେଶକଙ୍କର ପ୍ରାୟ ୨.୭୨ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି। ସୋମବାର ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନୀଙ୍କର ବଜାର ପୁଞ୍ଜି ୧,୪୨,୦୮,୦୪୯.୦୫ କୋଟି ଟଙ୍କା ଥିଲା, ଯାହା ମଙ୍ଗଳବାର ହ୍ରାସ ପାଇ ୧,୩୯,୭୦,୩୫୬.୨୨ କୋଟି ଟଙ୍କା ହୋଇଛି। ଏଭଳି ଦେଖିଲେ ୨,୭୨,୫୯୩.୫୪ କୋଟି ବଜାର ପୁଞ୍ଜି କ୍ଷତି ହୋଇଛି।
ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏହାର ପ୍ରଭାବ ମଙ୍ଗଳବାର ବିଶ୍ୱର ବିଭିନ୍ନ ଷ୍ଟକ୍‌ ବଜାରରେ ଦେଖିବାକୁ ମିଳିଥିଲା। ଭାରତୀୟ ଷ୍ଟକ୍‌ ବଜାର ଏଥିରୁ ବାଦ୍‌ ପଡି ନ ଥିଲା। ତେଲ କମ୍ପାନୀଙ୍କ ସମେତ ଅଟୋ ସେକ୍ଟରର ତାଲିକାଭୁକ୍ତ କମ୍ପାନୀ ଶେୟାରଗୁଡ଼ିକରେ ଭାରି ବିକ୍ରି ଦେଖାଯାଇଥିଲା। ସେହିପରି ଆମେରିକାର ଫେଡେରାଲ ରିଜର୍ଭର ପ୍ରଥମ ସୁଧ ହାର ହ୍ରାସର ସମ୍ଭାବନାକୁ ନେଇ ନିବେଶକଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି। ମାର୍କେଟ ଆନାଲିଷ୍ଟ ସୁଧ ହାର ହ୍ରାସ ପାଇବ ବୋଲି ଆଶା କରୁଛନ୍ତି। କିନ୍ତୁ ଫେଡେରାଲ ରିଜର୍ଭ ଅନ୍ୟ କେତେକ ପରିସଂଖ୍ୟାନ ପାଇବା ପରେ ଯାଇ ଏ ସମ୍ପର୍କରେ ନିଷ୍ପତ୍ତି ନେବେ। ଅନ୍ୟପକ୍ଷରେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀର୍ଘ ଦିନ ହେବ ସୁଧ ହାର ହ୍ରାସ ସମ୍ପର୍କରେ ମତ ଦେଇଆସୁଛନ୍ତି। ଅନ୍ୟପକ୍ଷରେ ରଏଟର୍ସ ରିପୋର୍ଟ ଅନୁଯାୟୀ, ଆରାମ୍‌କୋର ତୈଳ ଉତ୍ପାଦନ ଏକ ମାସ ବାଧାପ୍ରାପ୍ତ ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବ। ପ୍ରତି ବ୍ୟାରେଲ ୧୦ ଡଲାର ଦର ବଢ଼ିଲେ ଭାରତର ଅର୍ଥନୀତି ବିକାଶ ଉପରେ ୦.୧ରୁ ୦.୪% ପର୍ଯ୍ୟନ୍ତ ଆର୍ଥିକ ବୋଝ ପଡିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

Share