ସୌନ୍ଦର୍ଯ୍ୟ ନୁହେଁ ରୋଗର କାରଣ ମଧ୍ୟ ହୋଇଥାଏ ବଡ଼ନଖ

ସାଧାରଣତଃ ମହିଳାମାନେ ବଡ଼ ବଡ଼ ନଖ ରଖିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ହାତ ହେଉ କି ଗୋଡ଼ ନଖ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ବୋଲି ମହିଳାମାନଙ୍କର ଧାରଣା ରହିଥାଏ। ଯଦି ବଡ଼ ନଖ ରଖୁଛନ୍ତି ତେବେ ଏହାକୁ ପରିଷ୍କାର ପରିଚ୍ଛନ୍ନ ଓ ସାଇଜ୍‌ରେ କାଟିବା ମଧ୍ୟ ଜରୁରୀ ନଚେତ ଘାତକ ସାଜିପାରେ। କେରାଟିନ ନାମକ ଏକ କଠିନ ପ୍ରୋଟିନରେ ନଖ ତିଆରି ହୋଇଥାଏ। ଏହା ପାଦ ଓ ହାତର ଆଙ୍ଗୁଳିର ସମ୍ବେଦନଶୀଳ ଅଗ୍ରଭାଗକୁ ସୁରକ୍ଷା ଦେଇଥାଏ। ତେବେ ଆମେ ଯଦି ନଖକୁ ପରିଷ୍କାର ନ ରଖିବା ତେବେ ନଖ ମାଧ୍ୟମରେ ବହୁ ରୋଗସୃଷ୍ଟିକାରୀ ଜୀବ ପେଟକୁ ଚାଲିଯିବା ପରେ ଶରୀର ଅସୁସ୍ଥ ହୋଇପଡେ।
*ଲମ୍ବା ଓ ଅପରିଷ୍କାର ନଖ ବିଭିନ୍ନ ସଂକ୍ରାମକ ରୋଗର ବାହକ କୃମିଙ୍କୁ ଜନ୍ମ ଦେଇଥାଏ। ନଖକୁ କିଛି ଦିନ ବ୍ୟବଧାନରେ ସଫା ନ କଲେ ଏଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି। ପରିଣାମ ସ୍ବରୂପ ପେଟ ରୋଗ, ଝାଡ଼ା ବାନ୍ତି ଭଳି ସମସ୍ୟା ଦେଖାଦିଏ।
* ଛୋଟ ଛୁଆଙ୍କ ଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳେ। ନଖ ଅପରିଷ୍କାର ଥିଲେ ଜୀବାଣୁମାନେ ସହଜରେ ଶରୀରକୁ ପ୍ରବେଶ କରିଥାନ୍ତି। ଏଣୁ ଛୋଟଛୁଆଙ୍କ ନଖ କାଟିବା ଜରୁରୀ। ପିଲାମାନେ କୁଣ୍ଡାଇବା ପାଇଁ ନଖର ବ୍ୟବହାର କରି ଶରୀରକୁ ଖଣ୍ଡିଆଖାବରା କରିଦିଅନ୍ତି। ତେଣୁ ନିୟମିତ ବ୍ୟବଧାନରେ ସେମାନଙ୍କ ନଖ କାଟିବା ଆବଶ୍ୟକ।
*ସେହିପରି ଛୁଆଙ୍କ ମା’ମାନେ ମଧ୍ୟ ନଖ ପରିଷ୍କାର କରି ରଖିବା ଉଚିତ। ଛୁଆଙ୍କ ତ୍ୱଚା ବହୁତ ସମ୍ବେଦନଶୀଳ ଓ ପତଳା ହୋଇଥାଏ। ମା’ ବଡ଼ ନଖ ରଖିଥିଲେ ପିଲାଙ୍କୁ ଖୁଆଇବା ବା ଅନ୍ୟ କାମ କରୁଥିବା ବେଳେ ଆଘାତ ଲାଗିବାର ସମ୍ଭାବନା ରହିଛି। ଏଥିସହ ପିଲାଙ୍କ ଡାଇପର, ଲୁଗାପଟା ଆଦି ସଫା କରିବା ବେଳେ ମା’ଙ୍କ ନଖରେ ବ୍ୟାକ୍ଟେରିଆ ରହିବା ସମ୍ଭାବନା ରହିଛି। ଏଣୁ ମା’ମାନେ ମଧ୍ୟ ନିଜ ନଖକୁ ଛୋଟ ରଖିବା ଉଚିତ।
*କେବଳ ହାତକୁ ସାବୁନରେ ଧୋଇଦେଲେ ଜୀବାଣୁ ମରିଯାଆନ୍ତି ବୋଲି କେତେକଙ୍କ ଧାରଣା ରହିଛି। ଯଦି ଆପଣ ମଧ୍ୟ ସେଭଳି ଚିନ୍ତା କରୁଥାନ୍ତି ତେବେ ତାହା ଭୁଲ। ବ୍ୟାକ୍ଟେରିଆ କେବଳ ହାତ ପାପୁଲିରେ ନ ଥାନ୍ତି, ସେମାନେ ନଖ କଣରେ ମଧ୍ୟ ରହି ରୋଗ ସୃଷ୍ଟି କରିଥାନ୍ତି। ଏଣୁ ହାତ ଧୋଇବା ବେଳେ ନଖକୁ ମଧ୍ୟ ପରିଷ୍କାର କରନ୍ତୁ। ନଚେତ ସଂକ୍ରମଣର ଶିକାର ହୋଇପାରନ୍ତି।