Categories: ଖେଳ

ସୌମ୍ୟଙ୍କୁ ୫୮ତମ ଓପନ୍‌ ଚେସ୍‌ ଟାଇଟଲ

ଭୁବନେଶ୍ୱର, ୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ) ଓ ୟୁନିକ୍‌ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲା ବୋଲଗଡ଼ର ଅସରାଳସ୍ଥିତ ହରିହର ବିଦ୍ୟାପୀଠରେ ୨ୟ ଦେବରାଜ କର ମେମୋରିଆଲ ଓପନ୍‌ ର଼୍ୟାପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ୭ ରାଉଣ୍ଡବିଶିଷ୍ଟ ପ୍ରତିଯୋଗିତାରେ ସୌମ୍ୟ ୬.୫ ପଏଣ୍ଟ ସହ ଏହି ସଫଳତା ପାଇଛନ୍ତି। ସୌମ୍ୟଙ୍କ କ୍ୟାରିୟରର ଏହା ହେଉଛି ୫୮ତମ ଓପନ୍‌ ଚେସ୍‌ ଟାଇଟଲ। ମାନସ ରଞ୍ଜନ ପରିଡ଼ା ୬ ପଏଣ୍ଟ ସହିତ ରନର୍ସଅପ୍‌ ହୋଇଛନ୍ତି। ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥିତପ୍ରଜ୍ଞ ସାହୁ, ସୃଜନ ରାୟ, ରବୀନ୍ଦ୍ର କୁମାର ଓଝା, ଅବିନାଶ ବଳିୟାରସିଂ, ଶିଶିର କୁମାର ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ଧୀରେନ୍ଦ୍ର କୁମାର ଦାସ ଏବଂ ଓମ୍‌ ଆଦିତ୍ୟ ଖାଡ଼ଙ୍ଗା ଯଥାକ୍ରମେ ୩ୟରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି। ପ୍ରଦର୍ଶନ ଆଧାରରେ ୨୦ ଜଣ ମୁଖ୍ୟ ଖେଳାଳିଙ୍କ ବ୍ୟତୀତ ୮ ସ୍କୁଲ ଛାତ୍ରଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି। ରଶ୍ମିତା ପାତ୍ର ଶ୍ରେଷ୍ଠ ମହିଳା ଓ ବଂଶୀଧର ଭୋଇ ଶ୍ରେଷ୍ଠ ଭେଟେରାନ ଖେଳାଳି ବିବେଚିତ ହୋଇଛନ୍ତି। ୟୁନିକ୍‌ ଫାଉଣ୍ଡେଶନର ସମ୍ପାଦକ ସନ୍ତୋଷ ମିଶ୍ର, ଯୁଗ୍ମ ସମ୍ପାଦକ ବିଷ୍ଣୁପ୍ରସାଦ କର ଏବଂ ଓଏସ୍‌ସିଏର ଗେମ୍ସ ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share