Categories: ଜାତୀୟ

ସ୍କୁଟିଚାଳକଙ୍କୁ ୨୩ ହଜାର ଜରିମାନା

ନୂଆଦିଲ୍ଲୀ, ୪ା୯: ସେପ୍ଟେମ୍ବର ପହିଲାରୁ ମୋଟର ଯାନ ସଂଶୋଧନ ଆଇନ ଲାଗୁହେବା ପରେ ଦିଲ୍ଲୀର ଗୁରୁଗ୍ରାମଠାରେ ଜଣେ ସ୍କୁଟି ଚାଳକଙ୍କ ଉପରେ ଟ୍ରାଫିକ ପୋଲିସ ୨୩ ହଜାର ଟଙ୍କାର ଜରିମାନା ଲଗାଇଛି। ସ୍କୁଟି ଚାଳକ ହେଲ୍‌ମେଟ ପିନ୍ଧି ନ ଥିବାବେଳେ ତାଙ୍କ ପାଖରେ ଗାଡ଼ିର ଆର୍‌ସି ନ ଥିଲା କି ଗାଡ଼ି ଇନସ୍ୟୁରାନ୍ସ ପେପର୍‌ ଓ ପଲ୍ୟୁଶନ୍‌ କାଗଜପତ୍ର କିଛି ବି ନ ଥିଲା। ଏମିତିକି ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ତାଙ୍କ ପାଖରେ ନ ଥିଲା ବୋଲି ଜଣାପଡ଼ିଛି। ଟ୍ରାଫିକ୍‌ ପୋଲିସ ଗାଡ଼ିଚାଳକଙ୍କ ବିରୋଧରେ ନୂଆ ନିୟମ ଅନୁଯାୟୀ ୫ଟି ଚାଲାଣ କାଟିବା ସହ ୨୩ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଚାଲାଣ ଟଙ୍କା ନ ଦେବାରୁ ପୋଲିସ ସ୍କୁଟିଟିକୁ ଜବତ କରିଥିବା ଜଣାପଡ଼ିଛି। ସ୍କୁଟିର ଦାମ୍‌ ୧୫ ହଜାର ଟଙ୍କା ହେବ କି ନାହିଁ ଏବେ ତାଙ୍କୁ ୨୩ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଧରାପଡ଼ିଥିବା ଗୁରୁଗ୍ରାମର ଏହି ଯୁବକଙ୍କ ନାମ ଦୀନେଶ ମଦାନ୍‌ ବୋଲି ଜଣାପଡ଼ିଛି। ଏହି ଜରିମାନା ପରିମାଣ କମାଇବା ଲାଗି ସେ ଅନୁରୋଧ କରିଛନ୍ତି।

Share