ସ୍କୁଟି ଡିକି ଭାଙ୍ଗି ୧.୪୦ ଲକ୍ଷ ଟଙ୍କା ଲୁଟ୍‌

ପାରାଦୀପ,୧୪ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ବ୍ୟାଙ୍କ ଲେନ୍‌ରୁ ବୁଧବାର ଦୁର୍ବୃତ୍ତ ଏକ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଛନ୍ତି। ସୂଚନା ଅନୁସାରେ, ମଧୁବନ ଗୋପାଳଜୀଉ କଲୋନୀର ଜିତେନ୍ଦ୍ର ବଳ ମଧ୍ୟାହ୍ନରେ ବ୍ୟାଙ୍କ ଲେନ୍‌ରେ ଥିବା ୟୁକୋ ବ୍ୟାଙ୍କରୁ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ସ୍କୁଟି ଡିକିରେ ରଖିଥିଲେ। ପରେ ସେହି ବ୍ୟାଙ୍କଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଷ୍ଟେଟ ବ୍ୟାଙ୍କଙ୍କୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେଠାରେ ବ୍ୟାଙ୍କ ଆଗରେ ସ୍କୁଟି ରଖି ବ୍ୟାଙ୍କ ଭିତରକୁ ଯାଇଥିଲେ। ମାତ୍ର ବ୍ୟାଙ୍କରୁ ଫେରିବା ବେଳକୁ ତାଙ୍କ ସ୍କୁଟି ଡିକି ଖୋଲାଥିଲା ଦେଖିବାକୁ ପାଇଥିଲେ। ପାଖରେ ଯାଇ ଦେଖିବା ବେଳକୁ କେହି ଦୁର୍ବୃତ୍ତ ସମସ୍ତ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଏହାପରେ ସେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଏ ସମ୍ପର୍କରେ ଥାନାଧିକାରୀ ରଜନୀକାନ୍ତ ସାମଲ କହିଛନ୍ତି, ଘଟଣାର ସବୁଦିଗରୁ ତଦନ୍ତ ଚାଲିଛି। ସମ୍ପୃକ୍ତ ଗାଡି ଡିକି ଲକ୍‌ ପ୍ରାୟ ଅଧିକାଂଶ ଚାବିରେ ଖୋଲିଯାଉଛି। ଯେଉଁ କାରଣରୁ ଦୁର୍ବୃତ୍ତ ସହଜରେ ଲୁଟ୍‌ କରି ପାରିଲେ ବୋଲି କହିଥିଲେ।

Share