ସ୍କୁଲରୁ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ଛାତ୍ରୀ ମୃତ, ୪୯ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ବିଟିଏମ୍‌ ବାଇପାସ୍‌ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଜଣେ ଛାତ୍ରୀ ସାଇକେଲ ଯୋଗେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ସ୍ବପ୍ନା ଜେନା ସେ ଏଚ୍‌ କଣ୍ଟାପାଲି ରତ୍ନାକର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ। ସ୍କୁଲ ଛୁଟି ହେବା ପରେ ସେ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି। ପୋଲିସ ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ମଧ୍ୟ ଜବତ କରିଛି।