ସ୍କୁଲରେ ଶୋଇ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କୁକୁଡ଼ାଖଣ୍ଡି,୪ା୩(ଡି.ଏନ.ଏ.)- ବିଦ୍ୟାଳୟରେ ଶୋଇବା ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଛି। ଶୋଇଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଗୁରୁଣ୍ଠି ପଞ୍ଚାୟତ ରଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟରେ। ଶିକ୍ଷୟତ୍ରୀ ଜଣକ ହେଲେ ସୁମିତା ନାୟକ।
ସୋମବାର ମଧ୍ୟାହ୍ନରେ ପିଲାମାନଙ୍କୁ ପାଠ ନ ପଢ଼ାଇ ସୁମିତା ସ୍କୁଲର ଏକ ଗୋଦାମଗୃହରେ ଶୋଇ ରହିଥିଲେ। ଏ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ବିଇଓ ଏସ୍‌ ଗିରିଧର ଚିଠି ନଂ. ୩୭୬ ଅନୁଯାୟୀ ମଙ୍ଗଳବାର ଶିକ୍ଷୟିତ୍ରୀ ସୁମିତାଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ଚିଠିର ଏକ ନକଲ ସିଆର୍‌ସିସି, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଡିଇଓଙ୍କୁ ପଠାଇଥିବା କହିଛନ୍ତି।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ୨୦ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। କିନ୍ତୁ ଦୈନିକ ମାତ୍ର ୭ଜଣ ପିଲା ଉପସ୍ଥିତ ରହୁଛନ୍ତି। ଏଥିପାଇଁ ଶିକ୍ଷୟିତ୍ରୀମାନେ କେତେବେଳେ ସ୍କୁଲକୁ ଆସୁଥିବା ବେଳେ କେତେବେଳେ ଆସୁ ନାହାନ୍ତି।