Categories: ଜାତୀୟ

ସ୍କୁଲରେ ସିଏଏ ବିରୋଧୀ ନାଟକ: ୬୦ ଛାତ୍ରଙ୍କୁ ୪ ଘଣ୍ଟା ଜେରା

ବେଙ୍ଗାଲୁରୁ, ୫-୨:କର୍ନାଟକର ବିଦାରସ୍ଥିତ ଏକ ସ୍କୁଲରେ ସିଏଏ ବିରୋଧୀ ନାଟକ ପରିବେଷଣ କରାଯିବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ସ୍କୁଲରେ ପାଠ ପଢ଼ୁଥିବା ପିଲାମାନେ ଏହି ନାଟକରେ ଅଭିନୟ କରିଥିବାବେଳେ ପୋଲିସ ସେମାନଙ୍କୁ ଜେରା କରିବା ଆରମ୍ଭ କରିଛି। ଗତ ଜାନୁୟାରୀ ୨୧ରେ ଏହି ନାଟକ ଶାହିନ ପ୍ରାଇମେରୀ ଆଣ୍ଡ୍‌ ହାଇସ୍କୁଲରେ ପରିବେଷଣ କରାଯାଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ଜଣେ ଛାତ୍ରଙ୍କ ମା’ଙ୍କୁ ପୋଲିସ ଗତ ଜାନୁୟାରୀ ୩୦ରେ ଗିରଫ କରିଥିଲା। ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାମାନେ ଏହି ନାଟକ ପରିବେଷଣ କରିଥିଲେ। ପୋଲିସ ସେମାନଙ୍କୁ ଜେରାବେଳେ ଏହି ନାଟକ କିଏ ଲେଖିଥିଲେ, ଶିକ୍ଷକ ଏଥିଲାଗି ଉତ୍ସାହିତ କରିଥିଲେ କି ନାହିଁ ଆଦି ପ୍ରଶ୍ନ କରିଥିବା ଜଣାପଡ଼ିଛି। ଗତ ୪ ଦିନ ହେବ ପିଲାମାନଙ୍କୁ ପୋଲିସ ଏଭଳି ଜେରା କରିଚାଲିଛି। ଏଭଳି ପୋଲିସ କାର୍ଯ୍ୟାନୁଷ୍ଠାନକୁ ବେଙ୍ଗାଲୁରୁରେ ଅଭିଭାବକମାନେ ବିରୋଧ କରିଛନ୍ତି। ପିଲାଙ୍କୁ ବାରମ୍ବାର ଜେରାକରିବା, ଶିକ୍ଷକ ଓ ପିଲାଙ୍କ ଅଭିଭାବକଙ୍କୁ ଗିରଫ କରିବା ଠିକ୍‌ ନୁହେଁ ବୋଲି କୁହାଯାଇଛି। ସ୍କୁଲ ବିରୋଧରେ ପୋଲିସ ଦେଶଦ୍ରୋହ ମାମଲା ଲଗାଇବାକୁ ପ୍ରୟାସ କରୁଥିବାବେଳେ ଏହାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି।

Share