ସ୍କୁଲ୍‌ ହଷ୍ଟେଲକୁ ଆସିଥିବା ଡାଲି ବସ୍ତା ଦୋକାନରେ ବିକ୍ରି ହେବା ନେଇ ଉତ୍ତେଜନା

ନୂଆଗାଁ, ୧୩।୪ (ଡି.ଏନ.ଏ.): ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ହାଇସ୍କୁଲ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ପାଇଁ ଆସିଥିବା ୩୦ କେଜି ହରଡ ଡାଲି ବସ୍ତାକୁ ବାହାର ଦୋକାନରେ ବିକ୍ରି କରାଯିବା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ପ୍ରଘଟ ହେବା ପରେ ଗାଁ ଲୋକେ ବିରୋଧ କରିଛନ୍ତି। ଏହା ଜାଣିବା ପରେ ସମ୍ପୃକ୍ତ ଦୋକାନୀ ଉକ୍ତ ଡାଲି ବସ୍ତାକୁ ଆଣି ସ୍କୁଲରେ ଫେରାଇ ଦେଇଛନ୍ତି। ଖବର ପାଇ ସ୍ଥାନୀୟ ସରପଞ୍ଚ ବିନୋଦ ବିହାରୀ ଦେହୁରୀ ଓ ହାତୀବାରି ଥାନା ଅଧିକାରୀ ଶ୍ୟାମଲାଲ ଓରାମ ପ୍ରମୁଖ ସ୍କୁଲରେ ପହଞ୍ଚତ୍ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁଶ୍ରୀ ଭୂୟାଁଙ୍କୁ ପଚାରିଥିଲେ। ତେବେ ଶିକ୍ଷୟିତ୍ରୀ ଭୂୟା କହିଥିଲେ ଯେ, ସେ ଉକ୍ତ ଡାଲି ବସ୍ତା ନିଜେ କିଣିଥିଲେ। ଏଣୁ ତାଙ୍କର ଏହି ମନ୍ତବ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଉକ୍ତ ଡାଲି ବସ୍ତାକୁ ଥାନା ଅଧିକାରୀ ଜବତ କରିଛନ୍ତି । ନୂଆଗାଁ ବ୍ଲକ ସଂପ୍ରସାରଣ ଅଧିକାରୀ ତଦନ୍ତ କଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ଏହି ଘଟଣା ପରେ ହାତୀବାରି ସ୍କୁଲ ଫାଟକରେ ସରପଞ୍ଚ ଓ ଶିକ୍ଷା କମିଟି ସଭାପତିଙ୍କ ଉପସ୍ଥିତିରେ ତାଲା ପକାଯାଇଛି। ଏ ସମ୍ପର୍କରେ ଶିକ୍ଷୟିତ୍ରୀ ଭୂୟାଁ କହିଛନ୍ତି ଯେ, ତାଙ୍କୁ ଏ ପର୍ଯ୍ୟନ୍ତ ଉକ୍ତ ହଷ୍ଟେଲର ଦାୟିତ୍ୱ ମିଳିନାହିଁ। ତେଣୁ ସେ ଅଧିକ କିଛି କହିପାରିବେ ନାହିଁ । ଏ ସମ୍ପର୍କରେ ନୂଆଗାଁ ଡବ୍ଲୁଇଓ ସତ୍ୟଭାନୁ ସିଂଙ୍କୁ ପଚାରିବାରୁ କହିଛନ୍ତି ଯେ, ଘଟଣା ସମ୍ପର୍କରେ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି।