ସ୍କୁଲ ଆସିବାରେ ବିଳମ୍ବ : ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଗୋପାଳପୁର,୧୬ା୯-ବିଦ୍ୟାଳୟକୁ ବିଳମ୍ବରେ ଆସିବା ନେଇ ଶନିବାର ରଙ୍ଗେଇଲୁଣ୍ଡା ବ୍ଲକ ପାର୍ବତୀପୁରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ଚୌଧୁରୀଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ସ୍ଥାନରେ ବକ୍ସିପଲ୍ଲୀସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହରିକୃଷ୍ଣ ଶତପଥୀ ଯୋଗ ଦେଇଛନ୍ତି। ବ୍ରହ୍ମପୁରରୁ ପ୍ରାୟ ୧୦ କିମି ଦୂରରେ ଥିବା ଏହି ବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟିତ୍ରୀ ଠିକ୍‌ ସମୟରେ ଆସୁନଥିବା ନେଇ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଡ. ପ୍ରଭାତୀ ମହାପାତ୍ରଙ୍କୁ ଖବର ଦିଆଯାଇଥିଲା। ଗତ ୧୨ ତାରିଖ ପୂର୍ବାହ୍ନ ୧୦ଟାରେ ଗୋଷ୍ଠୀ ଶିକ୍ଷାଧିକାରୀ ବିଦ୍ୟାଳୟରେ ପହଞ୍ଚତ୍ଲା ବେଳକୁ କୌଣସି ଶିକ୍ଷକ କିମ୍ବା ଛାତ୍ରୀଛାତ୍ରଙ୍କ ଦେଖା ମିଳିନଥିଲା। ଏହାର ୩୦ ମି. ପରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିଥିଲେ। ସେମାନଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ବିଳମ୍ବରେ ଆସୁଥିବାରୁ ଆମେ ବିଳମ୍ବରେ ଆସୁଛୁ ବୋଲି କହିଥିଲେ। ଏହାର ୧୫ ମି. ପରେ ବିନା ୟୁନିଫର୍ମରେ ଚୌଧୁରୀ ପହଞ୍ଚତ୍ ବିଦ୍ୟାଳୟ ଖୋଲିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ତଦନ୍ତ କରିବାରୁ ବିଦ୍ୟାଳୟରେ ପ୍ରାର୍ଥନା କରାଯାଉନି, ବ୍ଲାକ୍‌ବୋର୍ଡରେ କିଛି ଲେଖାଯାଉନି, ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ କୌଣସି ଧ୍ୟାନ ଦିଆଯାଉନ ଥିବା ଜଣାପଡ଼ିଥିଲା। ଏଥିପାଇଁ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଚିଠି ନଂ. ୧୯୨୭ ପ୍ରକାରେ ମହାପାତ୍ର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରି ତତ୍‌କ୍ଷଣାତ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହ ଶତପଥିଙ୍କୁ ପାର୍ବତୀପୁରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଯୋଗଦାନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।