Categories: ଜାତୀୟ

ସ୍କୁଲ ଖୋଲିଲା: ଉପସ୍ଥାନ କମ

ଶ୍ରୀନଗର,୨୦ା୮: ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିଥିବାବେଳେ ଉପସ୍ଥାନ ବହୁତ କମ୍‌ ଥିବା ଦେଖିବାକୁ ମିଳିଛି। ବହୁ ସ୍କୁଲରେ କେବଳ ଶିକ୍ଷକ ଓ କର୍ମଚାରୀ ଆସିଥିବାବେଳେ ପିଲାଙ୍କ ଦେଖା ମିଳି ନ ଥିଲା।
ଶ୍ରୀନଗରରେ ମୋଟ ୯୦୦ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ସୋମବାର ୧୯୬ଟି ଖୋଲିଥିଲା। ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ପରେ କେତେକ ଅଞ୍ଚଳରେ ସ୍କୁଲ ଖୋଲାଯାଇଥିବା ଶ୍ରୀନଗରର ଡେପୁଟି କମିଶନର ଶାହିଦ ଇକ୍‌ବାଲ କହିଛନ୍ତି। ପିଲାଙ୍କୁ ସ୍କୁଲକୁ ପଠାଇବା ପାଇଁ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଛି। ତେବେ ପିଲା ନ ଆସିବାରୁ କିଛି ସମୟ ପରେ କେତେକ ସ୍କୁଲକୁ ବନ୍ଦ କରିଦିଆଯାଇଥିବା ଦେଖିବାକୁ ମିଳିଥିଲା। ଦୁଇଦିନ ହେଲା ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହେଉଥିବାରୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌କୁ ପଠାଇବାକୁ ନିରାପଦ ମଣୁନାହାନ୍ତି। ତେଣୁ ଶ୍ରୀନଗରର ସମସ୍ତ ଘରୋଇ ବିଦ୍ୟାଳୟ ବନ୍ଦ ରହିଥିଲା।
ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଥିଲା। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ୪ ତାରିଖରୁ ସେଠାରେ କଟକଣା ଜାରି କରାଯାଇଥିଲା। ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ସତର୍କତା ପଦକ୍ଷେପ ସ୍ବରୂପ ବିଭିନ୍ନ ଦଳର ନେତାମାନଙ୍କୁ ଗୃହବନ୍ଦୀ କରାଯାଇଥିଲା। ଉପତ୍ୟକାରେ ଟେଲିଫୋନ ଓ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା। ଦୁଇ ସପ୍ତାହ ପରେ ରାଜ୍ୟର ସ୍ଥିତି କ୍ରମେ ସ୍ବାଭାବିକ ହେଉଥିବାବେଳେ କେତେକ ଅଞ୍ଚଳରୁ କଟକଣା ହଟାଇଦିଆଯିବା ସହ ଅନ୍ୟ କେତେକ ସ୍ଥାନରେ କୋହଳ କରାଯାଇଛି।

ଶାହଙ୍କୁ ସ୍ଥିତି ଜଣାଇଲେ ଡୋଭାଲ


ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟି ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପାଇଁ ପାର୍ଲାମେଣ୍ଟରେ ବିଲ୍‌ ପାସ୍‌ ହେବା ପରେ ସେଠାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଡୋଭାଲ ୧୦ ଦିନ ଉପତ୍ୟକାରେ ରହିଥିଲେ। ସେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କୁ ଭେଟି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହିତ ସେ ସାଧାରଣ ଜନତାଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ। ସେଠାରୁ ଫେରିବା ପରେ ପ୍ରଥମ ଥର ପାଇଁ ଡୋଭାଲ ଶାହଙ୍କୁ ଭେଟିଛନ୍ତି। କଶ୍ମୀର ସ୍ଥିତି ସମୀକ୍ଷା ବୈଠକରେ ଶାହଙ୍କ ସହିତ ଡୋଭାଲ, ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Share