ସ୍କୁଲ ଛୁଟି ଅବଧି ବଢ଼ିବା ଖବର ଗୁଜବ: ଗଣଶିକ୍ଷା ସଚିବ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ସ୍କୁଲ ଛୁଟି ବଢ଼ିନି। ଛୁଟି ଅବଧି ବଢ଼ିବା ନେଇ ଗଣଶିକ୍ଷା ବିଭାଗ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଏଭଳି ଖବର ଗୁଜବ ବୋଲି କୁହାଯାଇଛି। ସୋମବାର କିମ୍ବା ମଙ୍ଗଳବାର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। କିଛିଦିନ ହେବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଅବଧି ଘୁଞ୍ଚାଯାଇଥିବା ସୋସିଆଲ ମିଡିଆରେ ଗୁଜବ ହୋଇଥିଲା। ଏହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଥିଲା। ପ୍ରକୃତରେ ସ୍କୁଲ ଛୁଟି ବଢ଼ିଛି କି ନାହିଁ ତାହା ସ୍ପଷ୍ଟ ଜଣା ପଡ଼ି ନ ଥିଲା। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ଏହି ଖବରକୁ ସତ ବୋଲି ଭାବି ନେଇଥିଲେ। ତେବେ ଏହି ଖବର ଗୁଜବ ବୋଲି ସଚିବ କହିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ। ଗୁଜବ ଖବର ଶୁଣି ଛାତ୍ରୀଛାତ୍ର ତଥା ଅଭିଭାବକ ପ୍ରଭାବିତ ହେବା ଆବଶ୍ୟକ ନାହିଁ। ପୂର୍ବରୁ ୧୯ ଯାଏ ସ୍କୁଲ ଛୁଟି ରହିବ ବୋଲି ଘୋଷଣା ହୋଇଥିଲା। ସୂଚନାଯୋଗ୍ୟ ଗତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କିଛିଦିନ ପାଇଁ ଛୁଟି ବଢ଼ାଇ ଦିଆଯାଇଥିଲା। କିନ୍ତୁ ଚଳିତବର୍ଷ ତାତି ଓ ଗୁଳୁଗୁଳି ଜୋର ଥିଲେ ମଧ୍ୟ କିଛି ସ୍ଥାନରେ ପାଗ ଏବେ ଭଲ ରହିଛି। ତେଣୁ ଛୁଟି ବଢ଼ିବା ନେଇ ଏଯାଏ କୌଣସି ନିଷ୍ପତ୍ତି ହୋଇନାହିଁ।

Share