ସ୍କୁଲ ଜମିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୧ ମୃତ, ୫ ଆହତ

ବାଲେଶ୍ୱର ଅଫିସ/ବାଲିଆପାଳ, ୧୪।୧୦(ସ୍ବ.ପ୍ର.): ବାଲେଶ୍ବର ଜିଲା ବାଲିଆପାଳ ଥାନା ନୁଆଗାଁ ପଞ୍ଚାୟତ କଟ୍ରମହଲ ଗାଁରେ ସୋମବାର ସ୍କୁଲ ଜମି ଜବରଦଖଲକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗ୍ରାମର ମୁଖିଆ ରାମଚନ୍ଦ୍ର ଗିରି।
ପ୍ରକାଶ ଯେ, କଟ୍ରମହଲ ଗାଁରେ ପ୍ରାଥମିକ ବିଦ୍ୟାଳୟ ଦଖଲରେ ଥିବା ଏକ ଯାଗାକୁ ଗ୍ରାମର ଭାନୁ ଦଳାଇ ଜବରଦଖଲ କରିଥିଲେ। ସୋମବାର ସକାଳେ ଗ୍ରାମର ମୁଖିଆ ରାମଚନ୍ଦ୍ର ଅନ୍ୟ ୫ ଗ୍ରାମବାସୀଙ୍କ ସହ ଏ ବିଷୟରେ ଭାନୁଙ୍କୁ ପଚାରିଥିଲେ। ଏଥିରେ ରାଗିଯାଇ ଭାନୁ, ପୁଅ ଶାନ୍ତନୁ ଓ ପରିବାରର ଅନ୍ୟମାନେ ସେମାନଙ୍କୁ ଅସ୍ତ୍ରରେ ଆକ୍ରମଣ କରିଥିଲେ। ରାମଚନ୍ଦ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗୁରୁତର ୫ ଜଣଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ବାଲିଆପାଳ ପୋଲିସ ଆକ୍ରମଣକାରୀ ଭାନୁ ଓ ଶୁଶାନ୍ତଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।