Categories: ଗଞ୍ଜାମ

ସ୍କୁଲ ପରିଚାଳନାରେ ବିଭ୍ରାଟ: ଶିକ୍ଷକ ବଦଳି ଦାବିରେ ଫାଟକରେ ତାଲା

କବିସୂର୍ଯ୍ୟନଗର,୨୨ା୯-କବିସୂର୍ଯ୍ୟନଗର ବ୍ଲକ ବୋଲସର ଗ୍ରାମ ରଘୁନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନାରେ ବିଭ୍ରାଟ ଅଭିଯୋଗ ହୋଇଛି। ଏଥିରେ ସୁଧାର ଲାଗି ୩ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ ଦାବି କରିଥିଲେ। କିନ୍ତୁ ଶିକ୍ଷା ବିଭାଗ ଦାବି ଗ୍ରହଣ ନ କରିବାରୁ ଶନିବାର ସକାଳେ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ବିଇଓ, ଏବିଇଓ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ୨ ଘଣ୍ଟା ବିଳମ୍ବରେ ୧୦ମ ଶ୍ରେଣୀ ଛାତ୍ରୀଛାତ୍ର ପ୍ରିଟେଷ୍ଟ ପରୀକ୍ଷା ଦେଇଥିଲେ।
ପ୍ରକାଶ ଯେ, ୧୯୪୮ରେ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟରେ ୧ ରୁ ୧୦ମ ଶ୍ରେଣୀରେ ମୋଟ ୨୮୧ ଜଣ ଶିକ୍ଷାର୍ଥୀ ପାଠ ପଢ଼ନ୍ତି। ଶନିବାର ଦଶମ ଶ୍ରେଣୀର ପ୍ରି-ଟେଷ୍ଟ ପରୀକ୍ଷା ଥିଲା। କିନ୍ତୁ ସ୍କୁଲକୁ ବିଳମ୍ବରେ ଆସିବା, ଓବିସି ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ କରି ପିଲାଙ୍କୁ ସାର୍ଟିଫିକେଟ ନ ଦେବା, ଠିକ କାର୍ଯ୍ୟ ନିର୍ବାହ କରୁ ନ ଥିବା ପ୍ରଧାନ ଶିକ୍ଷକ ଓ ୨ ଜଣ ଶିକ୍ଷକଙ୍କୁ ବଦଳି ପାଇଁ ଗ୍ରାମବାସୀ ଓ ପରିଚାଳନା କମିଟି ଦାବି କରିଥିଲେ। ଏ ନେଇ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କୁ ଅଭିଯୋଗ କରିଥିଲେ। ବିଧାୟିକା ନିଜ ପ୍ୟାଡରେ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ପାତ୍ର, ବିଭୂତି ଭୂଷଣ ପାଣି ଓ ଗାୟତ୍ରୀ ବେହେରାଙ୍କୁ ଅନ୍ୟତ୍ର ବଦଳି ପାଇଁ ଗତ ଅଗଷ୍ଟ ୧୬ ତାରିଖରେ ଡିଇଓ ଏବଂ ବିଇଓଙ୍କ ନିକଟକୁ ଚିଠି ଲେଖିଥିଲେ। କିନ୍ତୁ ଏହା କାର୍ଯ୍ୟକାରୀ ନ ହେବାରୁ ସକାଳେ ସ୍କୁଲରେ ତାଲା ପକାଇ ଗ୍ରାମବାସୀ ଛାତ୍ରୀଛାତ୍ରଙ୍କ ସହ ଆନ୍ଦୋଳନ କରିଥିଲେ। ବିଇଓ ନିରଞ୍ଜନ ମିଶ୍ର ଓ ଏବିଇଓ କୈଳାସ ବେହେରା ପହଞ୍ଚତ୍ ଗ୍ରାମବାସୀ, ସଭାପତି ଲକ୍ଷ୍ମଣ ବେହେରାଙ୍କ ସହ ଆଲୋଚନା କରି ବଦଳି ପାଇଁ ପ୍ରତିଶ୍ରୁତି ଦେବା ପରେ ସ୍କୁଲ ଖୋଲିଥିଲା। ବିଇଓ ଆମ୍ବପୁଆ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ରାମ ଦଳାଇଙ୍କୁ ଏଠାରେ ଅବସ୍ଥାପିତ କରିବାକୁ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। ବଦଳି ପ୍ରକ୍ରିୟା ଶୀଘ୍ର କାର୍ଯ୍ୟକାରୀ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ କରାଯିବା ସହ ଆନ୍ଦୋଳନ ଜାରି ରହିବ ବୋଲି ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ସହ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।