ସ୍କୁଲ ପାଠପଢ଼ା ବେଳୁ ଥିଲା ସାହିତ୍ୟ ପ୍ରତି ଆକର୍ଷଣ:ପିଟର ହାଣ୍ଡ୍‌କେ

ଭିଏନା: ଅଷ୍ଟ୍ରିଆର ପିଟର ହାଣ୍ଡ୍‌କେଙ୍କୁ ୨୦୧୯ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସାହିତ୍ୟ ପ୍ରତି ତାଙ୍କର ରହିଥିବା ଅହେତୁକ ରୁଚି ସ୍କୁଲରେ ପାଠପଢ଼ିବା ବେଳୁ ରହିଆସିଛି। ଜର୍ମାନ୍‌ ଭାଷାରେ ସେ ଅନେକ ସାହିତ୍ୟ ରଚନା କରିଥିବାବେଳେ ଅନେକ ସମ୍ମାନର ମଧ୍ୟ ଅଧିକାରୀ ହୋଇପାରିଛନ୍ତି। ୧୯୪୨ ଡିସେମ୍ବର ୬ରେ ଜନ୍ମଗ୍ରହଣ କରିଥିବା ହାଣ୍ଡ୍‌କେ କ୍ୟାଥୋଲିକ ବୋର୍ଡିଂ ସ୍କୁଲରେ ପାଠପଢ଼ିଥିଲେ। ସ୍କୁଲ ମାଗାଜିନରେ ପ୍ରଥମ ଥର ଲାଗି ତାଙ୍କର ଲେଖା ପ୍ରକାଶ ପାଇଥିଲା। ପରେ ସେ ବିଭିନ୍ନ ଯୁବ ଲେଖକଙ୍କ ସଂସ୍ପର୍ଶରେ ଆସି ନିଜ ଲେଖାକୁ ଶାଣିତ କରିଥିଲେ। ୧୯୭୧ରେ ମା’ଙ୍କ ଆତ୍ମହତ୍ୟା ତାଙ୍କୁ ଗଭୀର ଆଘାତ ଦେଇଥିଲେ ହେଁ କେବେ ସେ ଲେଖାଠାରୁ ଦୂରେଇ ରହି ନ ଥିଲେ। ସ୍ବଲିଖିତ ‘ଦ ହର୍ନେଟ୍ସ’ ଏବଂ ନାଟକ ‘ଅଫେଣ୍ଡିଂ ଦ ଅର୍ଡିଏନ୍ସ’ ବେଶ୍‌ ଚର୍ଚ୍ଚିତ ଥିଲା। ୧୯୯୬ରେ ତାଙ୍କର ‘ ଏ ଜର୍ନି ଅଫ୍‌ ଦ ରିଭର: ଜଷ୍ଟିସ ଫର୍‌ ସର୍ବିୟା’ ଝଡ଼ ସୃଷ୍ଟି କରିଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ହାଣ୍ଡକେଙ୍କ ଲେଖା ଓ ମାନବୀୟ ଅଭିଜ୍ଞତା ତାଙ୍କୁ ବଳିଷ୍ଠ କରିପାରିଥିବା ସ୍ବୀଡିଶ୍‌ ଏକାଡେମୀ ପକ୍ଷରୁ କୁହାଯାଇଛି। ବିଭିନ୍ନ ଗଳ୍ପ, ଉପନ୍ୟାସ ଆଦି ଲେଖିବା ସହ ଜର୍ମାନ ନିର୍ଦ୍ଦେଶକ ତଥା ବନ୍ଧୁ ଓ୍ବିମ୍‌ ଓ୍ବେଣ୍ଡର୍ସଙ୍କୁ ନେଇ ସେ ଫିଲ୍ମ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ। ଏମିତିକି ଅନେକ ଫିଲ୍ମରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

Share