ସ୍କୁଲ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବାରଙ୍ଗ/ ନରାଜ, ୨୮।୮(ଡି.ଏନ୍‌.ଏ.): ବାରଙ୍ଗ ବ୍ଳକ ଶିକ୍ଷା ମଣ୍ଡଳ ଅଧୀନସ୍ଥ ପଞ୍ଚୁପାଳ ଉଚ୍ଚପ୍ରଥାମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶିକ୍ଷା ଦାନରେ ବାଧାପ୍ରାପ୍ତ ହେଉଥିବା ପ୍ରତିବାଦରେ ବୁଧବାର ଗ୍ରାମବାସୀ ଓ ଗ୍ରାମ୍ୟ କମିଟି ପକ୍ଷରୁ ସ୍କୁଲ ଫାଟକରେ ତାଲା ପକାଇବା ଦେଖିବାକୁ ମିଳିଛି। ସ୍କୁଲର ଛାତୀଛାତ୍ର ଶିକ୍ଷକ ଶିକ୍ଷୟତ୍ରୀମାନେ ଠିକ୍‌ ସମୟରେ ସ୍କୁଲକୁ ଆସିଥିବା ବେଳେ ସ୍କୁଲ ବାହାରେ ଛିଡା ହୋଇରହିଥିଲେ। ଖବରପାଇ ଏବିଓ ପହଞ୍ଚତ୍ ଅଭିଭାବକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଜିଦରୁ ହଟି ନ ଥିଲେ। ଏପରିକି ଶିକ୍ଷକ ନଆସିବା ପର୍ଯ୍ୟନ୍ତ ପିଲାମାନେ ସ୍କୁଲକୁ ଆସିବେ ନାହିଁ ବୋଲି ରୋକଠୋକ କହିଥିଲେ। ସୂଚନା ମୁତାବକ, ପଞ୍ଚୁପାଳ ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୦ଜଣ ପିଲା ପାଠ ପଢୁଛନ୍ତି। ଏହି ବିଦ୍ୟାଳୟ ପାଇଁ ୫ଜଣ ଶିକ୍ଷକ ନିଯୁକ୍ତି ହୋଇଥିଲେ। କିନ୍ତୁ ଗତ ମାସରେ ଗୋଟିଏ ଶିକ୍ଷକଙ୍କୁ ଚଣ୍ଡିପ୍ରସାଦ ସ୍କୁଲକୁ ଡେପୁଟେଶନରେ ପଠାଯାଇଥିଲା। ଯାହାକୁ ନେଇ ଅଭିଭାବକମାନେ ବ୍ଲକଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଆବଶ୍ୟକତାକୁ ଦେଖି ତୁରନ୍ତ ଆଉ ଗୋଟେ ଶିକ୍ଷକଙ୍କୁ ଦେବାକୁ ଦାବି କରିଥିଲେ। ପ୍ରତିଶ୍ରୁତି ମିଳି ଥିଲେ ମଧ୍ୟ ଶିକ୍ଷକ ଆସି ନ ଥିଲେ। ଏହାପରେ ଅଭିଭାବକମାନେ ବିଧାୟକ ଦେବୀ ରଞନ ତ୍ରିପାଠୀଙ୍କୁ ଭେଟି ଅଭିଯୋଗ କରିଥିଲେ। ୭ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ମିଳିଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ବିଧାୟକଙ୍କୁ କହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିଲା ବୋଲି ଅଭିଭାବକ ରଣଜିତ ବିଶୋଇ ଅଭିଯୋଗ କରିଛନ୍ତି । ଏଭଳି ଦିନ ଗଡିଚାଲିଥିବାରୁ ଶେଷରେ ଅଭିଭାବକମାନେ ମିଶି ବୁଧବାର ସ୍କୁଲ ଖୋଲିବା ପରେ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ୨ ଘଣ୍ଟାପରେ ମଧ୍ୟାହ୍ନ ୧୨ଟାରେ ଏବିଓ ଭାରତୀ ଆଚାର୍ଯ୍ୟ ପହଞ୍ଚତ୍ ଗ୍ରାମବାସୀ ଓ ଅଭିଭାବକମାନଙ୍କୁ ବୁଝାସୁଝା କରିବା ସହ ୫ଦିନ ମଧ୍ୟରେ ଶିକ୍ଷକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ କେହି ଶୁଣି ନ ଥିଲେ। ପରେ ଶିକ୍ଷକ ନ ଆସିବା ପର୍ଯ୍ୟନ୍ତ ଜଣେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ବିଦ୍ୟାଳୟରେ ପାଠ ପଢାଇବାର ବ୍ୟବସ୍ଥା କରିବୁ ବୋଲି ଏବିଓ ପ୍ରତିଶ୍ରୁତି ଦେଇଥିଲେ।