Categories: ଫୁରସତ

ସ୍କୁଲ ଫି’ ଭରଣା ପାଇଁ ୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇଲେ ଛାତ୍ର

୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇ କାନାଡାର ସାସ୍କାଟୁନ୍‌ ସହରର ୧୬ ବର୍ଷୀୟ ଛାତ୍ର ବ୍ୟାଉଲିଙ୍ଗ୍‌ ଟୋନି ଘରକୁ ଫେରିଛନ୍ତି। ତାଙ୍କର ଏହି ସାଇକେଲ୍‌ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍କୁଲ ଫି’ ସଂଗ୍ରହ କରିବା। ଏମିତି ଫଣ୍ଡ୍‌ କରି ସେ ଯୁକ୍ତ ଦୁଇ ପାସ କରିଛନ୍ତି। ଟୋନି କୁହନ୍ତି, ଏପରି ଯାତ୍ରା ସେ ଆଗକୁ ଜାରି ରଖିବେ। ଏଥିରୁ ଯେଉଁ ଅର୍ଥ ମିଳିବ, ସେ ଅନ୍ୟ ଛାତ୍ରମାନଙ୍କୁ ସାହାଯ୍ୟ କରିବେ।

ଗତ ଜୁଲାଇରୁ ସେ ଏହି ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ସେ ସାସ୍କାଟୁନ୍‌ରୁ ହେଲିଫେକ୍ସ ମଧ୍ୟରେ ସାଇକେଲ ଚାଳନା କରୁଥିଲେ। ପରେ ଲଗାତାର କିଛି କିଛି ବାଟ ସାଇକେଲ ଚାଳନା କଲେ। ଅଧିକ ବାଟ ସାଇକେଲ ଚଳାଇ ସେ ଯାଇପାରିବେ ବୋଲି ମନରେ ସାହସ ଜୁଟାଇଲେ। ଏହାପରେ ପର୍ତ୍ତୁଗାଲ, ୟୁରୋପ, ଚାଇନା, ଅଷ୍ଟେଲିଆ ଆଦି ଦେଶ ସାଇକେଲରେ ଭ୍ରମଣ କରି ଶେଷରେ କାନାଡାରେ ପହଞ୍ଚିଛନ୍ତି। ଏହି ଯାତ୍ରା ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି କୁହନ୍ତି ଟୋନି। ପ୍ରତିଦିନ ସେ ୧୦ ଘଣ୍ଟା ସାଇକେଲ ଚଳାଇଥାନ୍ତି। କେବଳ ଦଲିଆ ଖାଇ ସେ ଯାତ୍ରା ପୂରଣ କରିଛନ୍ତି। ରାତି ହେଲେ ଏକ ବିବି ବ୍ୟାଗ୍‌ ଅର୍ଥାତ୍‌ ପୋର୍ଟେବୁଲ ବେଡ୍‌ରେ ରାତି କଟାଇଥାନ୍ତି। ଏପରିକି ରାସ୍ତାରେ ଦୁର୍ଘଟଣାର ମଧ୍ୟ ଶିକାର ହୋଇଛନ୍ତି। ତଥାପି ସେ ହାରିଯାଇନାହାନ୍ତି। ବିଶ୍ୱର ଯୁବ ସାଇକେଲଚାଳକ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ଟୋନି କୁହନ୍ତି, କୌଣସି ରେକର୍ଡ କରିବା ଆଶା ନେଇ ସେ ଏହି ସାଇକେଲ ଚାଳନା କରିନାହାନ୍ତି ବରଂ ସ୍କୁଲ ଫି’ ଭରଣା କରିବା ପାଇଁ ସେ ଏପରି ଦୁଃସାହସିକ ଯାତ୍ରା କରି ସଫଳ ହୋଇଛନ୍ତି। ତାଙ୍କୁ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share