ସ୍କୁଲ ବ୍ୟାଗ୍‌ ଓଜନ ସମ୍ପର୍କିତ ଜନସ୍ବାର୍ଥ ମାମଲା: ୪ ସପ୍ତାହରେ ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୬।୮: ରାଜ୍ୟରେ ସ୍କୁଲ ଛାତ୍ରୀଛାତ୍ରଙ୍କ ବ୍ୟାଗ ଓଜନକୁ ନେଇ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ୪ମାସ ମଧ୍ୟରେ ଉକ୍ତ ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ. କହ୍ନେୟାଲାଲ ଶର୍ମା ଏ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବାବେଳେ ସୋମବାର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଓ ଜଷ୍ଟିସ୍‌ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଗାମୀ ୪ ସପ୍ତାହ ମଧ୍ୟରେ ଏହି ନିୟମ କଡ଼ାକଡ଼ି ଲାଗୁ କରିବାକୁ ପ୍ରତ୍ୟେକ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଲାଗି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିୟମ ଉଲ୍ଲଂଘନ କରାଗଲେ କୋର୍ଟ ଅବମାମନା ବୋଲି ଗ୍ରହଣ କରାଯିବ ଓ ଆବେଦନକାରୀ ସମ୍ପୃକ୍ତ ବିଦ୍ୟାଳୟର ପରିଚାଳନା କମିଟି ବିରୋଧରେ ମାମଲା ରୁଜୁ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ବିଭାଗ ପକ୍ଷରୁ କେତେଜଣ ଜିଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲେ ମଧ୍ୟ କୋର୍ଟ ସେଥିରେ ସନ୍ତୁଷ୍ଟ ହୋଇ ନ ଥିଲେ। ସେହିପରି ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୮ରେ ସ୍କୁଲ ବ୍ୟାଗ ଓଜନ ସମ୍ପର୍କିତ ଗାଇଡ୍‌ ଲାଇନ ପ୍ରକାଶ କରାଯାଇଥିବା ଦର୍ଶାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୩ରେ ହେବ।
ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ର ଓଜନ ବୃଦ୍ଧିକୁ ନେଇ କହ୍ନେୟାଲାଲ ସରକାରଙ୍କ ବିରୋଧରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ପରେ ରାଜ୍ୟ ସରକାର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ର ଓଜନ ୧.୫ କିଗ୍ରା, ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବ୍ୟାଗ୍‌ର ଓଜନ ୩ କିଗ୍ରା, ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ବ୍ୟାଗ୍‌ର ଓଜନ ୪କିଗ୍ରାରୁ କମ୍‌, ଅଷ୍ଟମ ଏବଂ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ବ୍ୟାଗର ଓଜନ ୪.୫ କିଗ୍ରା ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ବ୍ୟାଗର ଓଜନ ୫ କିଲୋରୁ ଅଧିକ ନ ହେବା ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ। ମାତ୍ର ଏହି ନିୟମ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ହାଇକୋର୍ଟ ହୃଦୟଙ୍ଗମ କରି ସୋମବାର ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share