ସ୍କୁଲ ମିଶ୍ରଣକୁ ଗାଁ ଲୋକଙ୍କ ବିରୋଧ

ଡୁବୁରୀ,୧୯।୩(ଡିଏନଏ): ସିଆରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ଡୁବୁରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏହି ମିଶ୍ରଣ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛନ୍ତି ସିଆରିଆ ଗାଁଲୋକେ। ଏ ନେଇ ବୁଧବାର ଏକ ବଡ଼ ଧରଣର ପ୍ରତିବାଦ କରି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ସରକାରୀ ନିୟମ ଅନୁଯାୟୀ, ଯେଉଁ ପ୍ରାଥମିକ ବିଦ୍ୟାଳୟରେ ୪୦ରୁ କମ୍‌ ପିଲାଙ୍କ ଉପସ୍ଥାନ ରହିଛି, ସେହି ସବୁ ସ୍କୁଲକୁ ସ୍ଥାନାନ୍ତର କରାଯାଇ ନିକଟସ୍ଥ ସ୍କୁଲରେ ମିଶାଯିବାକୁ ସରକାରୀ ନିଷ୍ପତ୍ତି ହୋଇଥିଲେ ମଧ୍ୟ ନଦୀ, ପାହାଡ ଓ ରାଜପଥ କଡ଼ରେ ଥିବା ସ୍କୁଲ କ୍ଷେତ୍ରରେ ଏହି ନିୟମ ଲାଗୁହେବ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି। ୧୯୮୬ ମସିହାରୁ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନରେ ୩୪ ଜଣ ପିଲା ପାଠ ପଢୁଛନ୍ତି। ଏହି ସଂଖ୍ୟା ୪୦ରୁ କମ୍‌ ହୋଇଥିବାରୁ ସ୍ଥାନାନ୍ତର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ସ୍କୁଲଟି ଡୁବୁରୀ-ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥ କଡରେ ଥିବାରୁ ସ୍କୁଲଟିକୁ ଅନ୍ୟତ୍ର ଉଠାଇ ଦେବା ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ବୋଲି ଗାଁ ଲୋକେ ଓ ଡୁବୁରୀ ସରପଞ୍ଚ କହିଛନ୍ତି। ଏନେଇ ସୁକିନ୍ଦା ବ୍ଲକ ସିଆରସି ସୁରେଶ ବେହେରାଙ୍କୁ ପଚାରିବାରେ, ଯେହେତୁ ସ୍କୁଲଟି ରାଜପଥ କଡ଼ରେ ରହିଛି ଓ ଅନ୍ୟ ସ୍କୁଲକୁ ଯିବା ପାଇଁ ରାଜପଥ ଅତିକ୍ରମ କରିବାକୁ ପଡିବ, ସେ କ୍ଷେତ୍ରରେ ସ୍କୁଲ ଉଠିବା ଉଚିତ ନୁହଁ ବୋଲି ସରକାରଙ୍କୁ ଜଣାଯିବ। ଏହାପରେ ନିଷ୍ପତ୍ତି ନିଆଯିବ ବୋଲି ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Share