ସ୍କୁଲ ଯାଉଛି ରୋବୋ

ଟୋକିଓ: ପ୍ରାୟତଃ ପିଲାମାନେ ରୋଗରେ ପଡ଼ିଲେ ସ୍କୁଲ ଯିବାକୁ ପସନ୍ଦ କରି ନ ଥାନ୍ତି। ଏହି ସମୟରେ ସ୍କୁଲରେ ପାଠ ପଢ଼ା ଆଗେଇ ଯାଉଥିବା ବେଳେ ପିଲା ପଛରେ ରହିଯାଉଥିବା ଦେଖାଯାଏ। ଏ ନେଇ ପିଲାମାନଙ୍କ ମାତାପିତା ବେଶ୍‌ ଚିନ୍ତିତ ହୋଇପଡ଼ନ୍ତି। କିନ୍ତୁ ଏବେ ପିଲାମାନଙ୍କ ସ୍ଥାନରେ ସ୍କୁଲ ଯିବ ରୋବୋ। ଏହି ରୋବୋ କ୍ଲାସ୍‌ରେ ପାଠ ପଢ଼ା ସମ୍ପର୍କରେ ନୋଟ୍‌ ମଧ୍ୟ ତିଆରି କରିବ। ଜାପାନର ବୈଜ୍ଞାନିକମାନେ ଏହି ରୋବୋ ଉପରେ ଏବେ କାମ କରୁଛନ୍ତି। ପିଲାମାନେ ଘରେ ବସି ଟାବଲେଟ୍‌ ଦ୍ୱାରା ଏହାକୁ ପରିଚାଳିତ କରିପାରିବେ। ରୋବୋ ମୁଣ୍ଡରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ପିଲାଙ୍କୁ କ୍ଲାସ୍‌ ରୁମ୍‌ ସମ୍ପର୍କିତ ତଥ୍ୟ ପଠାଇବ। ଏହି ପାଇଲଟ୍‌ ପ୍ରୋଜେକ୍ଟ ସଫଳ ହେଲେ ସାରା ଦେଶରେ ଏହାକୁ ଲାଗୁ କରାଯିବ। ପ୍ରଥମକରି ଏହି ରୋବୋ (ଓରି)କୁ ଟୋକିଓ ବର୍ଡରଠାରେ ଥିବା ଟୋମୋବେ ହିଗାସୀ ସ୍ପେସିଆଲ ସପୋର୍ଟ ସ୍କୁଲରେ କାର୍ଯ୍ୟକ୍ଷମ କରାଯାଇଛି। ସ୍କୁଲରେ କୌଣସି ଛାତ୍ର ଅନୁପସ୍ଥିତ ଥିଲେ, ତାଙ୍କ ସ୍ଥାନରେ ଓରିକୁ ବସାଯାଏ। ଓରି ନୋଟ୍‌ ତିଆରି କରିବା ସହ କ୍ୟାମେରା ସାହାଯ୍ୟରେ କ୍ଲାସ୍‌ରୁମ୍‌ ଡିଟେଲ୍ସ ସମ୍ପୃକ୍ତ ଛାତ୍ରଙ୍କ ନିକଟକୁ ପଠାଇଥାଏ। ଏଥିରେ ଏକ ସ୍ପିକର ମଧ୍ୟ ଲଗାଯାଇଛି। ଘରେ ବସି ଛାତ୍ର ଯାହା କହିବେ, ଓରି ଏହାକୁ କ୍ଲାସ୍‌ରୁମ୍‌ରେ କହିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରୋବୋ ନିଜର ଭାବନା ମଧ୍ୟ ପରିପ୍ରକାଶ କରିପାରେ। ଏହା ତାଳି ମାରିବା ସହ ଶିକ୍ଷକ ଓ ପିଲାମାନଙ୍କୁ ହାଏ, ହେଲୋ ମଧ୍ୟ କହିଥାଏ। ଏହି ରେବୋକୁ ତିଆରି କରିଥିବା କମ୍ପାନୀର ସିଇଓ କହିଛନ୍ତି, ୧୦ରୁ ୧୪ ବର୍ଷ ବୟସର ପିଲାମାନେ ଦେହ ଖରାପ ହେଲେ ସ୍କୁଲ ଯିବାକୁ ଇଚ୍ଛା କରି ନ ଥାନ୍ତି। ସେମାନଙ୍କୁ ପାଠ ପଢ଼ାରେ ଯେପରି କିଛି ଅସୁବିଧା ନ ହୁଏ, ସେଇଥିପାଇଁ ଏହି ରୋବୋ ତିଆରି କରାଯାଇଛି।

Share