Categories: ଖେଳ

ସ୍କୋପମ୍ୟାନ ଭାରତ ମହିଳା ହକି ଦଳର ଆନାଲିଟିକାଲ କୋଚ୍‌

ନୂଆଦିଲ୍ଲୀ,୧୮।୧(ପି.ଟି.)- ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ପୂର୍ବତନ ଡଚ୍‌ ମହିଳା ହକି ତାରକା ଜାନେକ୍‌ ସ୍କୋପ୍‌ମ୍ୟାନ ଭାରତୀୟ ମହିଳା ହକି ଦଳର ଆନାଲିଟିକାଲ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର ହକି ଇଣ୍ଡିଆ ଏ ନେଇ ଘୋଷଣା କରିଛି। ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ପ୍ରସ୍ତୁତି ପାଇଁ ତାଙ୍କ ନିଯୁକ୍ତ କରାଯାଇଛି। ଏହା ଦ୍ୱାରା ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ ୟୁନିଟ୍‌ ଆହୁରି ଦୃଢ଼ ହେବ। ଅଲିମ୍ପିକ୍ସ ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ।
୨୦୦୮ ବେଜିଂ ଅଲିମ୍ପିକ୍ସରେ ସ୍କୋପମ୍ୟାନ ନେଦରଲାଣ୍ଡ୍ସ ମହିଳା ଦଳ ତରଫରୁ ପ୍ରତିନିଧିତ୍ୱ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାପୂର୍ବରୁ ସେ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ନିଜ ସମୟରେ ସେ ଜଣେ ଉଚ୍ଚକୋଟୀର ହକି ଖେଳାଳି ଥିଲେ। ଶନିବାର ସେ ବେଙ୍ଗାଲୁରୁସ୍ଥିତି ସାଇ ସେଣ୍ଟରରେ ଚାଲିଥିବା ଜାତୀୟ ହକି କ୍ୟାମ୍ପ ଅବସରରେ ଦଳରେ ଯୋଗଦେବେ। ଭାରତ ସିଜିନ ଆରମ୍ଭରେ ନ୍ୟୁଜିଲାଣ୍ଡକୁ ଭେଟିବ। ଆୟୋଜକ ଗ୍ରେଟ ବ୍ରିଟେନ ସହିତ ମଧ୍ୟ ଭାରତ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବ। ସ୍କୋପ୍‌ମ୍ୟାନ ଭାରତୀୟ ଦଳ ସହ ଯାତ୍ରା କରିବେ। ଭାରତୀୟ ମହିଳ ଦଳ ସହ କାର୍ଯ୍ୟକରିବାକୁ ବେଶ୍‌ ଆଗ୍ରହୀ ବୋଲି ସ୍କୋପମ୍ୟାନ କହିଛନ୍ତି। ଭାରତୀୟ ଦଳରେ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ସଫଳତା ପାଇଁ ଖେଳାଳିମାନେ ବେଶ୍‌ ବ୍ୟଗ୍ର ଅଛନ୍ତି। ଦଳ ସହିତ କାର୍ଯ୍ୟ କରି ଭାରତକୁ ସଫଳ କରାଇବା ଲକ୍ଷ୍ୟରେ ରହିଛି ବୋଲି ସେ କହିଛନ୍ତି।
ଦୁଇବର୍ଷ ସଫଳତାର ସହ ନେଦରଲାଣ୍ଡ୍ସର ନେତୃତ୍ୱ ନେବା ପରେ ସେ ଅବସର ଗ୍ରହଣ କରିଥିଲେ। ୨୦୦୬ରେ ନେଦରଲାଣ୍ଡ୍ସ ବିଶ୍ୱକପ୍‌ ଜିତିଥିଲା ଓ ସେ ଦଳ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ସେହିପରି ୨୦୦୨ ଓ ୨୦୧୦ ବିଶ୍ୱକପ୍‌ରେ ମଧ୍ୟ ସେ ରୌପ୍ୟ ପଦକ ହାସଲ କରିଥିଲେ। ୪୨ ବର୍ଷୀୟା ସ୍କୋପମ୍ୟାନ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଆମେରିକା ମହିଳା ହକି ଦଳର କୋଚ୍‌ ରହିଥିଲେ। ଏହା ବ୍ୟତୀତ ସେ ଆମେରିକା ୨୧ ବର୍ଷରୁ କମ୍‌ ମହିଳା ଦଳ ସହିତ ଜଡିତ ରହିଆସିଥିଲେ। ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ସେ ଆମେରିକା ମହିଳା ଦଳର ଆସିଷ୍ଟାଣ୍ଟ କୋଚ୍‌ ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ। ଫଳରେ ଏହାପରେ ତାଙ୍କୁ ହେଡ୍‌ କୋଚ୍‌ ଦାୟିତ୍ୱ ଦିଆଯାଇଥିଲା।
ଭାରତୀୟ ହେଡ୍‌ କୋଚ୍‌ ଜୋଏର୍ଡ ମାରିଜନେ ସ୍କୋପମ୍ୟାନଙ୍କ ନିଯୁକ୍ତିକୁ ସ୍ବାଗତ କରିଛନ୍ତି। ତାଙ୍କୁ ପୂର୍ବରୁ ଜାଣିଛି। ଭାରତୀୟ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବାରେ ସେ ସହାୟ ହେବେ ବୋଲି ମାରିଜନେ କହିଛନ୍ତି।

Share