ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଡାଇବେଟିସ୍‌ ଆଶଙ୍କା କମ୍‌…

ଜନ୍ମ ପରେ ନବଜାତକଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଡାଇବେଟିସ୍‌ରୁ ଦୂରେଇ ରୁହନ୍ତି। ସେମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌ ଆଶଙ୍କା ହ୍ରାସ ପାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ଶିଶୁଙ୍କୁ ୬ମାସ କିମ୍ବା ଏହାଠାରୁ ଅଧିକ ସମୟ ସ୍ତନ୍ୟପାନ କରାଇଲେ ଟାଇପ୍‌-୨ ଡାଇବେଟିସ୍‌ ଦେଖାଯାଇ ନ ଥାଏ। ଏଭଳି ମହିଳାଙ୍କଠାରେ ଡାଇବେଟିସ୍‌ ଆଶଙ୍କା ୪୭ ପ୍ରତିଶତ କମିଯାଇଥାଏ ବୋଲି ଡାକ୍ତରମାନେ ସୂଚିତ କରିଛନ୍ତି। ପୂର୍ବରୁ ଜଣାପଡିଥିଲା ଯେ, ସ୍ତନ୍ୟପାନ କରାଇବା ଦ୍ୱାରା ସ୍ତନ ଓ ଗର୍ଭାଶୟ ଗ୍ରୀବା କର୍କଟ ହୋଇ ନ ଥାଏ। ସ୍ତନ୍ୟପାନ ଉଭୟ ମା’ ଓ ଶିଶୁ ପାଇଁ ସୁରକ୍ଷା କବଚ ସଦୃଶ୍ୟ କାର୍ଯ୍ୟ କରିଥାଏ। ଗର୍ଭଧାରଣ ସମୟରେ ମା’ଠାରେ ସାମୟିକ ଭାବେ ଡାଇବେଟିସ୍‌ ରୋଗ ଦେଖାଯାଇଥାଏ। ପରବର୍ତ୍ତୀ ସମୟରେ ଏହା ଦୂର ହୋଇଯାଇଥାଏ। ରକ୍ତରେ ଶର୍କରା ମାତ୍ରାରେ ତାରତମ୍ୟ ଯୋଗୁ ଏହା ହୋଇଥାଏ। ଅଧିକ ଦିନ ଧରି ଶିଶୁକୁ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଜୈବିକ କ୍ରିୟାରେ କେତେକ ପରିବର୍ତ୍ତନ ହୋଇଥାଏ। ଯାହାଦ୍ୱାରା ରକ୍ତ ଶର୍କରାରେ ସମନ୍ବୟ ସୃଷ୍ଟି ହୋଇଥାଏ। ଫଳରେ ଏଭଳି ମହିଳାଙ୍କଠାରେ ପରବର୍ତ୍ତୀ ଜୀବନରେ ଟାଇପ୍‌-୨ ଡାଇବେଟିସ୍‌ ରୋଗ ଦେଖାଯିବାର ଆଶଙ୍କା କମିଯାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ସୂଚିତ କରିଛନ୍ତି।

Share