ସ୍ତନ୍ୟପାନ ବେଳେ ଅସୁବିଧା

ଶିଶୁ ଜନ୍ମ ପରେ କ୍ଷୀରର ପରିମାଣ କମ୍‌ ଥାଏ। ସାଧାରଣତଃ ତୃତୀୟ ଦିନ କ୍ଷୀର ସର୍ବାଧିକ ଝରିଥାଏ। ତେଣୁ ତା’ ପର ଠାରୁ ସ୍ତନ ଟାଣ ହେବା ଏବଂ ଦରଜ ହେବା ଆରମ୍ଭ ହୋଇଥାଏ। କେବଳ ଏତିକି ନୁହେଁ କେବେ କେବେ ଜ୍ୱର ମଧ୍ୟ ହୋଇଥାଏ। ତେଣୁ ମା’ମାନେ ବ୍ୟସ୍ତ ନ ହୋଇ ଶିଶୁକୁ ଯେତେ ପାରିବେ କ୍ଷୀର ପିଆଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଆବଶ୍ୟକ ସ୍ଥଳେ ମାନୁଆଲ୍‌ ଏକ୍ସପ୍ରେଶନ୍‌ ବା ହାତରେ ଚିପି କ୍ଷୀର ବାହାର କରିବାକୁ ପଡିଥାଏ।
ସ୍ତନ୍ୟଦାତ୍ରୀଙ୍କ ଠାରେ ସ୍ତନର ଅଗ୍ର ଭାଗ ବା ନିପ୍‌ଲରେ କ୍ରାକ୍‌ ହେବା ବା ଫାଟିବା ସମସ୍ୟା ଦେଖା ଦେଇଥାଏ। ଯାହାଫଳରେ ମା’ଙ୍କୁ ସ୍ତନପାନ କରାଇବା ସମୟରେ ଅତ୍ୟଧିକ ବ୍ୟଥା ହୋଇଥାଏ। ତେଣୁ ଏପରି ସମସ୍ୟା ଦେଖା ଦେବା ମାତ୍ରେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଏଣ୍ଟମେଣ୍ଟ ଲଗାଇବା ଆବଶ୍ୟକ। ଏହାଦ୍ୱାରା ନିପ୍‌ଲ ନରମ ହେବା ସହ ସ୍ତନ୍ୟପାନ ସମୟରେ କଷ୍ଟ କମ୍‌ ହୋଇଥାଏ। ହେଲେ ଏହି ଅଏଣ୍ଟମେଣ୍ଟ ବ୍ୟବହାର କରୁଥିଲେ ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ଭଲ ଭାବେ ନିପ୍‌ଲରୁ ଅଏଣ୍ଟମେଣ୍ଟ ପୋଛି ସଫା କରିବାକୁ ପଡିବ, ନଚେତ ତାହା ଶିଶୁର ପେଟକୁ ଚାଲିଯିବ। କ୍ରାକ୍‌ ନିପଲ୍‌ କଷ୍ଟର ଉପଶମ ପାଇଁ ନିପଲ୍‌ ଶିଲ୍ଡ ମଧ୍ୟ ବ୍ୟବହାର କରାଯାଇଥାଏ।
ବେଳେ ନିପଲ୍‌ ସ୍ତନ ବାହାରକୁ ନ ଥାଇ ଭିତରକୁ ପଶିଲା ଭଳି ରହିଥାଏ। ଯାହାକୁ ରିଟ୍ରାକ୍ଟେଡ୍‌ ନିପଲ୍‌ ବୋଲି କୁହାଯାଇଥାଏ। ଫଳରେ ମା’ ଶିଶୁକୁ କ୍ଷୀର ଖୁଆଇ ପାରନ୍ତି ନାହିଁ ଓ କ୍ଷୀର ରହିବା ଯୋଗୁ ଅତ୍ୟଧିକ କଷ୍ଟ ହୋଇଥାଏ। ଏ କ୍ଷେତ୍ରରେ ତୁରନ୍ତ ସମାଧାନ କରିବାକୁ ପଡିଥାଏ। ଅର୍ଥାତ୍‌ ଡାକ୍ତରଖାନାରେ ସିରିଞ୍ଜ ମାଧ୍ୟମରେ ପ୍ରେସର ଦେଇ ନିପ୍‌ଲକୁ ବାହାରକୁ ଟଣା ଯାଇଥାଏ।
NICU ରେ ରହିବା କିମ୍ବା କୌଣସି କାରଣରୁ କ୍ଷୀର ନ ଖାଇବା ଦ୍ୱାରା ସ୍ତନରେ କ୍ଷୀର ଜମାଟ ବାନ୍ଧି ଖୁବ୍‌ ବ୍ୟଥା ହୋଇଥାଏ। ଏହା ପ୍ରଭାବରେ ଜ୍ୱର ହୋଇଥାଏ। କେବେ କେବେ କ୍ଷୀର ରହିଯାଇ ବଥ ହୋଇଯାଏ। ତେଣୁ କ୍ଷୀର ରହିଯାଇ ସ୍ତନ ଟାଣ ଲାଗିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଯଥା ସମୟରେ ବିଭିନ୍ନ ଉପାୟରେ କ୍ଷୀର କାଢିବାକୁ ପଡ଼ିଥାଏ।

ଡା. ପ୍ରଦୀପ କୁମାର ପାଣିଗ୍ରାହୀ

-ସ୍ପର୍ଶ ହସ୍ପିଟାଲ