ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସ୍ବାମୀ ଗିରଫ

ଡାବୁଗାଁ,୨।୯(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସରଗୁଡା ଗ୍ରାମରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଟାଙ୍ଗିଆରେ ହାଣି ରବିବାର ବିଳମ୍ବିତ ରାତିରେ ହତ୍ୟା କରଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ବାମୀ ମାହାଙ୍ଗୁ ଭତ୍ରା (୪୫)ଙ୍କୁ ଗିରଫ କରିଛି। ସରଗୁଡା ଗ୍ରାମର ମାହାଙ୍ଗୁ , ତାଙ୍କ ସ୍ତ୍ରୀ ମନାଇ ଭତ୍ରା (୪୦), ମା’ ସାନୁ ଭତ୍ରା ଓ ପିଲାମାନେ ରବିବାର ରାତିରେ ଖାଇ ସାରି ଘରେ ଶୋଇଥିଲେ । ରାତି ପ୍ରାୟ ଗୋଟାଏରେ ମାହାଙ୍ଗୁ ଉଠି ଏକ ଟାଙ୍ଗିଆରେ ସ୍ତ୍ରୀ ମନାଇଙ୍କ ବେକକୁ ହାଣି ଦେବାରୁ ସେ ଚିତ୍କାର କରିଥିଲେ । ପାଖରେ ଶୋଇଥିବା ମାହାଙ୍ଗୁଙ୍କ ମା’ ସାନୁ ଉଠି ଦେଖିଥିଲେ ଯେ ମନାଇ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି। ସଙ୍ଗେ ସଙ୍ଗେ ସାନୁ ପିଲାମାନଙ୍କୁ ଧରି ବାହାରକୁ ଆସି ପାଟି କରିଥିଲେ। ପାଟି ଶୁଣି ପାଖ ଘରେ ଥିବା ମାହାଙ୍ଗୁଙ୍କ ଦାଦା ପୁଅ ତିଲ ଭତ୍ରା ପହଞ୍ଚିଥିଲେ। ମାହାଙ୍ଗୁଙ୍କ ଠାରୁ ରକ୍ତ ଲଗା ଟାଙ୍ଗିଆ ଛଡାଇ ରଖିବା ପରେ ଗ୍ରାମବାସୀଙ୍କୁ ଡାକିଥିଲେ । ଏହା ଦେଖି ମାହାଙ୍ଗୁ ଏକ ଘର ଭିତରେ ପଶି ଯାଇ ଭିତରୁ ଦ୍ୱାର ବନ୍ଦ କରି ରହିଥିଲେ । ସୋମବାର ଗ୍ରାମର ୱାର୍ଡ ସଭ୍ୟ ଚୈତନ ଭତ୍ରା ଡାବୁଗାଁ ଥାନାରେ ଏ ସମ୍ପର୍କରେ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ଆଇଆଇସି ସୁରେନ୍ଦ୍ର କୁମାର ବେହୁରିଆ, ସବଇନ୍ସପେକ୍ଟର ରଙ୍କନିଧି ସାହୁ, ଏଏସଆଇ ସଲମନ ଭୂୟାଁ ପ୍ରମୁଖ ପହଞ୍ଚି ମାହାଙ୍ଗୁଙ୍କୁ ଉକ୍ତ ଘରୁ ଉଦ୍ଧାର କରିଥିଲେ । ପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନାପ୍ପା ହୃଦୟାନନ୍ଦ, ଉମରକୋଟ ଉପଖଣ୍ଡୀୟ ପୋଲିସ ଅଧିକାରୀ ହେମନ୍ତ କୁମାର ପାଢୀ ଓ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରଯାଇଥିଲା । ଅଭିଯୁକ୍ତ ମାହାଙ୍ଗୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଥାନାରେ ନଂ. ୯୦/୧୯ ରେ ଏକ ମାମଲା ରୁଜୁ କରାଯାଇଛି ।